ଅଣସର ଘରେ ଶ୍ରୀଜିଉଙ୍କ ଗୁପ୍ତ ଉପଚାର, ଶ୍ରୀ ଅଙ୍ଗ ଫିଟା ନୀତି

ପୁରୀ: ସ୍ନାନବେୀରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହା ପରେ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଉପଚାର । ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ । ବଇଦଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ । ଚାଲିଛି ଗୋପନ ନୀତି ।
ସ୍ନାନଯାତ୍ରାରେ ପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଶ୍ରୀଅଙ୍ଗରୁ ଫିଟିବା ପରେ ଆରାମ ଅନୁଭବ କରିଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କୁ ଛପନ ଭୋଗ ବଦଳରେ ପଥି ଖାଇବାକୁ ଦିଆଯାଉଛି । ନାନଦି ଫଳମୂଳ ସହ କ୍ଷୀର, ସର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି । ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନଘଟେ ସେନେଇ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବା ନିଷେଧ କରାଯାଇଛି ।
ଘନ ଅନ୍ଧକାରରେ ଏକମାତ୍ର ଦୀପର ଆଲୋକରେ ଦଇତାପତି ସେବକମାନେ ଏହି ଗୋପନ ନୀତି ସଂପନ୍ନ କରୁଛନ୍ତି । ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ ଦଇତାପତି ସେବକମାନେ ବି ଶୁକ୍ଳ ବସ୍ତ୍ର ପରିଧାନ କରିଛନ୍ତି । ଠାକୁରଙ୍କ ପାଖରେ ଲାଗି ହେଉଛି ଧଳାଫୁଲ । ଅଣସର ସମୟରେ ଗର୍ଭଗୃହରେ ପଟିଦିଅଁ ପାଉଛନ୍ତି ପୂଜା । ଅସୁସ୍ଥତା ଲାଗି ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଲାଗି ହୋଇନାହିଁ । ଅନବସରର ପଞ୍ଚମ ତିଥିରେ ମହାପ୍ରଭୁଙ୍କଠାରେ ଲାଗି ହେବ ଫୁଲୁରି ତେଲ । ଅଣସର ପଣା ବି ଠାକୁରଙ୍କୁ ଲାଗି ହେବ ।












Click it and Unblock the Notifications