ଓଡ଼ିଶାରେ ବି ମିନି ଅଯୋଧ୍ୟା, ଫତେଗଡ଼ରେ ପ୍ରତିଷ୍ଠା ହେବ ରାମ ମନ୍ଦିର
ନୟାଗଡ଼: ଆଜି ରାଜ୍ୟ ଠାରୁ ଆରମ୍ଭ କରି ସାରା ଦେଶ ରାମମୟ । ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେଉଛି ଧରାପୃଷ୍ଠ । ବାଜୁଛି ଶଙ୍ଖନାଦ ସହ କାହାଳୀ । କାରଣ ଆଜି ବିରାଜିବେ ରାମଲାଲା । ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥି ମଧ୍ୟରେ ଓଡିଶାରେ ମଧ୍ୟ ଏକ ମିନି ଅଯୋଧ୍ୟାର ପରିବେଶ ସୃଷ୍ଟି ହୋଇଛି ।

ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଏଠାରେ ଆଜି ବି ପ୍ରତିଷ୍ଠା ହେବ ରାମ ମନ୍ଦିର । ଏ ନେଇ ଗତ 17 ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଅଯୋଧ୍ୟା ରାମମନ୍ଦିର ସହ ଆଜି ଫତେଗଡ ରାମ ମନ୍ଦିରର ମଧ୍ୟ ପ୍ରାଣ ପ୍ରତିଷ୍ଠା କରାଯିବ । ଯାହାକୁ ନେଇ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି ।
ସମୁଦ୍ର ପତନ ଠାରୁ 1600 ଫୁଟ ଉଚ୍ଚ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ବଉଳମାଳା ପଥରରେ ନିର୍ମିତ, ପୁଷ୍ପ ସଜ୍ଜିତ ଏହି ମନ୍ଦିରର ରୂପ ଅନନ୍ୟ ଆଉ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହି ମନ୍ଦିରର ଓ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପାଇଁ ବେଢ଼ାରେ ଚାଲିଛି ଯଜ୍ଞ । ପଣ୍ଡିତଙ୍କ ମନ୍ତ୍ର ଉଚାରଣ ସହ ଦିଆଯାଉଛି ଆହୁତି । ଆଉ ତା ଭିତରେ ଶୁଭୁଛି ସାଧୁ ସନ୍ଥଙ୍କ ମନ୍ତ୍ର ଓ ନାମ ସଂକୀର୍ତ୍ତନ ।
ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ 200 କାରିଗର, 4 ବର୍ଷ ହେଲା ନିୟୋଜିତ ହୋଇଥିଲେ । 3 ଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଇଛି । ରେଖ, ଭଦ୍ର ଓ ମୋହନ ନାମରେ 3ଟି ମୁଖ୍ୟ ମନ୍ଦିର ରହିଥିବାବେଳେ ଚତୁଃପାଶ୍ୱର୍ରେ ଶିବ, ଗଣେଶ, ସୂର୍ଯ୍ୟନାରାୟଣ ଓ ହନୁମାନଙ୍କ ପାଇଁ 4ଟି ମନ୍ଦିର ନିର୍ମାଣ କରାଯାଇଛି । ସିଂହ, ଘୋଡା, ହାତୀ ଓ ବ୍ୟାଘ୍ରଙ୍କ ନାମରେ 4ଟି ପ୍ରବେଶ ପଥ ରହିବା ସହ 22 ପାହାଚର ଅନୁକରଣ ମଧ୍ୟ କରାଯାଇଛି । ନୟାଗଡ ଜିଲ୍ଲାର ଏକ ଗାଁ ଭିତରେ ଏପରି ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି ।
କଣ କହୁଛି କିମ୍ବଦନ୍ତୀ
ନୟାଗଡ଼ ଜିଲ୍ଲା ଫତେଗଡ଼ ଗାଁରେ ରହିଛି ଶ୍ରୀରାମ ପାହାଡ଼ । କିମ୍ବଦନ୍ତୀ ରହିଛି, ପୂର୍ବରୁ ଗ୍ରାମରେ ବର୍ଷା ନହେଲେ ଗାଁ ଲୋକେ ଏହି ଶ୍ରୀରାମ ପାହାଡ଼ ଉପରେ ଗିରି ଗୋବର୍ଦ୍ଧନଙ୍କୁ ପୂଜା କରୁଥିଲେ । ଫଳରେ ଭଲ ବୃଷ୍ଟିପାତ ହୋଇଥାଏ । ତେବେ କାଳକ୍ରମେ ଏହି ପାହାଡ଼ ଉପରେ ରାମଲାଲାଙ୍କ ମନ୍ଦିର ଟିଏ ତୋଳିବା ପାଇଁ ଗ୍ରାମବାସୀମାନେ ନିଷ୍ପତ୍ତି ନେଇଥିଲେ । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମରେ ମନ୍ଦିର ତିଆରି ଆରମ୍ଭ ହୋଇଥିଲା ।












Click it and Unblock the Notifications