ଓଡ଼ିଶାରେ ରାମକଥା, ଏହି ଜିଲ୍ଲାରେ ଅଛି ସୀତାକୁଣ୍ଡ... ରହିଛି ଅନେକ କିମ୍ବଦନ୍ତୀ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସହ ରାମଲାଲାଙ୍କ ବିଜେ ଉତ୍ସବକୁ ନେଇ ଉତ୍ସାହିତ ସାରା ଦେଶ । ସମସ୍ତ ରାଜ୍ୟ ଓ ଅଞ୍ଚଳରୁ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ଆନନ୍ଦିତ ଥିବା ବେଳେ ଏକ ପର୍ବ ଭଳି ପାଳନ କରୁଛନ୍ତି । ଏହି ସମୟରେ ପ୍ରଭୁ ଶ୍ରୀ ରାମଙ୍କ ସହ ଜଡ଼ିତ ଅନେକ ଲୋକକଥା ଓ କିମ୍ବଦନ୍ତୀ ସାମ୍ନାକୁ ଆସୁଛି ।

ଭକ୍ତି ଓ ପର୍ଯ୍ୟଟନର ଏକ ପ୍ରମୁଖ ସ୍ଥାନ ପାଲଟିଥିବା ଓଡ଼ିଶାରେ ମଧ୍ୟ ରହିଛି ରାମଙ୍କ କିଛି ଅଜଣା କଥା । କିମ୍ବଦନ୍ତୀ ଅନୁସାରେ ରାମ ବନବାସ ସମୟରେ ଓଡ଼ିଶାରେ ମଧ୍ୟ ରହିଥିଲେ । ଯାହାକୁ ଲୋକମାନେ ପୂଜା କରିବା ସହ ଭକ୍ତି କରନ୍ତି ।
ଆମେ କହୁଛୁ ସୀତକୁଣ୍ଡର କାହାଣୀ । ଓଡ଼ିଶାର ଦର୍ଶନୀୟ ସ୍ଥାନ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ବେଶ୍ ଆଦୃତ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଚଟ କରିଥାଏ । ଶିମିଳିପାଳ ଜାତୀୟ ଉଦ୍ୟାନ ରେ ରହିଛି ସୀତା କୁଣ୍ଡ । ସୀତା କୁଣ୍ଡ ପୌରାଣିକ କଥା ସହିତ ଜଡିତ l ମାନ୍ୟତା ରହିଛି ଯେ ତ୍ରେତେୟା ଯୁଗରେ ମା ସୀତା ବନବାସ ସମୟରେ କିଛି ଦିନ ପାଇଁ ଏଠାରେ ବିଶ୍ରାମ ନେଇଥିଲେ l ତେଣୁ ତାଙ୍କ ନାମରେ ନାମିତ ହୋଇଛି ଏହି ସ୍ଥାନର ନାମ ସୀତା କୁଣ୍ଡ l ଏଠାରେ ପାହାଡ଼ରୁ ଝରି ଆସୁଥିବା ଜଳ ଗୋଟିଏ ସ୍ଥାନରେ ହ୍ରଦ ଭଳି ବହି ଯାଇଛି l ଏହି ସ୍ଥାନରେ ଗୋଟିଏ ଛୋଟ ଗୁମ୍ଫା ମଧ୍ୟରେ ପ୍ରଭୁ ହନୁମାନ ମଧ୍ୟ ପୂଜା ପାଉଛନ୍ତି l
ଏହା ସହ କେନ୍ଦୁଝରରେ ଅବସ୍ଥିତ ଡାଙ୍ଗୁଆପାସି ଗାଁ ନିକଟରେ ଥିବା ପାହାଡ଼ରେ ଭଗବାନ ରାମଙ୍କ ପୁତ୍ରମାନଙ୍କୁ ନେଇ ବାଲ୍ମିକି ଆଶ୍ରମ ଥିଲା ବୋଲି ବିଶ୍ୱାସ କରାଯାଏ । ଆଶ୍ରମ କାନ୍ଥ ଚିତ୍ରରେ ମହାନ ମହାକାବ୍ୟ ବର୍ଣ୍ଣନା କରାଯାଇଛି । କିମ୍ବଦନ୍ତୀରେ ନିଜେ ସୀତାଙ୍କ ଦ୍ୱାରା ଏଠାରେ ଲିଖିତ ରାମାୟଣ ଚରିତ୍ରର ଦିବ୍ୟ ଚିତ୍ର ଉଲ୍ଲେଖ କରାଯାଇଛି, ଯାହା ତୀର୍ଥଯାତ୍ରୀଙ୍କ ବିଶ୍ୱାସକୁ ବଢ଼ାଇଥାଏ ।
ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ପୁଣ୍ୟପୀଠ
ମାଲକାନଗିରି ଜିଲା ଖଇରପୁଟ ବ୍ଲକ ନିକଟରେ ଅବସ୍ଥିତ ବଣ୍ଡାଘାଟି ହେଉଛି ଏକ ନିଆରା ପର୍ଯ୍ୟଟନସ୍ଥଳୀ । ବଣ୍ଡା ଜନଜାତି ଲୋକଙ୍କ ସଂସ୍କୃତି, ପରମ୍ପରା ସହ ବଣ, ପାହାଡ଼, ଝରଣା ଆଦି ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ସୀତାକୁଣ୍ଡ ଘାଟି ଏଠାକାର ମୁଖ୍ୟ ଆକର୍ଷଣ । ଲୋକକଥା ଅନୁଯାୟୀ, ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ମଧ୍ୟରୁ ଗୋଟିଏ ବର୍ଷ ଏଠାରେ ଅତିବାହିତ କରିଥିଲେ । ଏକ ଝରଣା କୁଣ୍ଡରେ ମାତା ସୀତା ସ୍ନାନ କରୁଥିବାରୁ ସେହି କୁଣ୍ଡଟିକୁ ହିଁ ସୀତାକୁଣ୍ଡ ନାମରେ ନାମିତ କରାଯାଇଛି । ଏଠାରେ ମା'ସୀତାଙ୍କ ପାଦ ଚିହ୍ନ ମଧ୍ୟ ରହିଛି । ଏହି କୁଣ୍ଡରେ ବର୍ଷସାରା ଜଳ ପ୍ରବାହିତ ହୋଇଥାଏ । ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ପାଇଁ ଏହା ପୁଣ୍ୟପୀଠ ଅଟେ । ସୀତାକୁଣ୍ଡ ନିକଟରେ ରହିଛି ଇଷ୍ଟଦେବତା ପାଟଖଣ୍ଡା । ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ସୁରକ୍ଷା ପାଇଁ ବଣ୍ଡା ସମ୍ପ୍ରଦାୟକୁ ଏହି ଖଣ୍ଡା ପ୍ରଦାନ କରିଥିବା ପ୍ରଚଳିତ କିମ୍ବଦନ୍ତୀରୁ ଜଣାପଡ଼େ । ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ବଣ୍ଡା ସମ୍ପ୍ରଦାୟର ଲୋକେ ଏହି ଖଣ୍ଡାକୁ ପୂଜା କରିଥାଆନ୍ତି ।












Click it and Unblock the Notifications