ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଓଡ଼ିଆ ଭଜନର ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଅଯୋଧ୍ୟା ନଗରୀ ଚଳଚଞ୍ଚଳ । ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସାହ ଖେଳିଯାଇଥିବା ବେଳେ ଅଯୋଧ୍ୟା ନଗରୀରେ ପାଳନ ହେଉଛି ଉତ୍ସବ । ଏହି ସମୟରେ ବିଭିନ୍ନ ରାମଭକ୍ତ ନିଜ ପ୍ରଭୁଙ୍କ ପାଇଁ ଅନେକ କିଛି ଅର୍ପଣ କରୁଥଇବାର ଦେଖିବାକୁ ମିଳିଛି । ଏଥି ମଧ୍ୟରେ ଓଡ଼ିଆ ଭଜନ ଗାୟିକା ନମିତା ଅଗ୍ରୱାନ ମଧ୍ୟ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ଗାଇଛନ୍ତି ଏକ ଭକ୍ତିଭରା ଭଜନ । ଯାହାକି ରାମଭକ୍ତଙ୍କ ଗହଣରେ ବେଶ୍ ଆଦୃତ ହୋଇଛି ।

'ସାରା ଅଯୋଧ୍ୟା ନଗରୀ ନାଚେ ସଜେଇ ହୋଇ ପ୍ରଭୁ ରାମଙ୍କୁ ପାଇ... ଦେଖ ଖୁସିରେ ଉଛୁଳି ପଡ଼େ ସରଜୁ ନଇ ପ୍ରଭୁ ରାମଙ୍କୁ ପାଇ...' । ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଗୀତଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପସନ୍ଦ ଆସିଛି । ସେ ଗୀତକୁ ବେଶ୍ ପ୍ରଶଂସା କରିଛନ୍ତି । ଏପରିକି ନିଜ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଗୀତଟିକୁ ପୋଷ୍ଟ କରିଛନ୍ତି । ଏହା ରହ ଉଲ୍ଲେଖ କରିଛନ୍ତି, 'ଭାରତର ପ୍ରତ୍ୟେକ ଭାଗରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଅଛି । ପ୍ରତ୍ୟେକ ଭାଷାରେ ଆପଣ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ । ଓଡ଼ିଆରେ ଏହିପରି ଗୋଟିଏ ପ୍ରୟାସ ।'
There is devotion towards Prabhu Shri Ram in every part of India. In every language also you’ll find several Bhajans devoted to him. Here is one such effort in Odia… #ShriRamBhajan https://t.co/JCWTudS13O
— Narendra Modi (@narendramodi) January 18, 2024
ସୂଚନାଥାଉକି, ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଭଜନ, ଜଣାଣ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ବିଭିନ୍ନ ଭାଷାରେ ପ୍ରସ୍ତୁତ ରାମ ଭଜନର ୟୁଟ୍ୟୁବ୍ ଲିଙ୍କ୍ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି । ଏହିକ୍ରମରେ ନମିତା ଅଗ୍ରୱାଲ୍ଙ୍କ ଗୀତକୁ ବି ଛାଡ଼ିଛନ୍ତି ।
ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ଙ୍କ ପ୍ରଯୋଜନାରେ ଗୀତ ଏବଂ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ ହୋଇଛି । 4 ମିନିଟ୍ 39 ସେକେଣ୍ଡ୍ର ଏହି ଭଜନ ରାମଭକ୍ତଙ୍କୁ ବେଶ୍ ଆନନ୍ଦିତ କରିଛି । ଏହାକୁ ଗାଇଛନ୍ତି ନମିତା ଅଗ୍ରୱାଲ୍ ।












Click it and Unblock the Notifications