ଫେବୃଆରୀ 22 ରେ ଓଡ଼ିଶା ଆସିବେ ରାଜନାଥ, ଏହି ତିନି ଜିଲ୍ଲାରେ ବିଜେପି ସଭାରେ ହେବେ ସାମିଲ
ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ରାଜନୈତିକ ଦଳର ସଜବାଜ । ବିଭିନ୍ନ ଦଳ ନିଜର ନିଜର ପ୍ରସ୍ତୁତି କରିବା ସହ ଭୋଟରଙ୍କ ସହ ଯୋଡି ହେବା ଆରମ୍ଭ କଲେଣି । ବିଭିନ୍ନ ସଭା ସମିତି କରି ଲୋକଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଲେଣି ନେତା ।

ଏହି ସମୟରେ ବିଜେପି ମୋଦୀ ସରକାରର ତୃତୀୟ ପାଳି ପାଇଁ କସରତ ଆରମ୍ଭ କରିଦେଇଛି । ଦଳର ହେଭିୱେଟ୍ ନେତା ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ଏହି କ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା 22 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ରାଜନାଥ ତିନୋଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ । ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ 2024 ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ ।
ସେ ପୂର୍ବାହ୍ନ 10 ଟାରେ ନୂଆଦିଲ୍ଲୀରୁ ଜଗଦଲପୁର ବିମାନ ଯୋଗେ ଆସି ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ନବରଙ୍ଗପୁର ଆସିବେ । ସେ ଏଠାରେ 4 ଟି ଲୋକସଭାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲାର ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ଏଥିପାଇଁ ଦଳ ପକ୍ଷରୁ ସର୍କିଟ ହାଉସ ପଡିଆରେ କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି । ଏଠାରୁ ସେ କାର୍ଯ୍ୟକ୍ରମ ସାରି ବ୍ରହ୍ମପୁର ଓ ପରେ ମୟୁରଭଞ୍ଜ ଯିବାର କାର୍ଯ୍ୟକ୍ରମ ରହିଛି ।
ଏହାପୂର୍ବରୁ ଶିବରାଜ ସିଂ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଥିଲେ ।












Click it and Unblock the Notifications