‘ପିଠା ଅନ୍ ହ୍ୱିଲ୍' ରେ ଭୁବନେଶ୍ୱରବାସୀଙ୍କ ନିକଟରେ ପହଞ୍ଚିବ ରଜ ପିଠା
ଭୁବନେଶ୍ୱର : ଭୁବନେଶ୍ୱରବାସୀ ପାଇବେ ରଜ ପିଠାର ମହକ । ରାଜ୍ୟର ଗଣପର୍ବ ରଜକୁ ଲୋକଙ୍କ ଗହଣରେ ଆହୁରି ଆକର୍ଷଣୀୟ କରିବାକୁ ସମୁଚିତ ପଦକ୍ଷେପ ଗ୍ରହଣ କରିଛି ଓଟିଡିସି । ରାଜ୍ୟର ସମସ୍ତ ଓଟିଡିସି ଶାଖାରେ ରଜପିଠା ଉପଲବ୍ଧ ହେଉଛି । ଏତଦ୍ବ୍ୟତୀତ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତୋରାଁ ଏବଂ କଟକସ୍ତିତ ସିଲଭରସିଟି ବୋଟ୍ କ୍ଲବ୍ରେ ମଧ୍ୟ ପିଠା ମିଳିପାରିବ । ଏହାଛଡ଼ା ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ମହିଳାମାନେ ରଜ ତିନିଦିନ ଧରି ବିନାମୂଲ୍ୟରେ ରଜ ଦୋଳି ଖେଳିବା ଏବଂ ମେହେନ୍ଦି ଲଗେଇବାର ମଜା ନେଇପାରିବେ ।

ଭୁବନେଶ୍ୱରବାସୀଙ୍କ ନିକଟରେ ରଜ ପିଠା ପହଞ୍ଚାଇବା ନିମନ୍ତେ ଓଟିଡିସି ପକ୍ଷରୁ 'ପିଠା ଅନ୍ ହ୍ୱିଲ୍' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆସନ୍ତା ତିନିଦିନ ଧରି ତିନୋଟି ଭ୍ୟାନ୍ ମାଧ୍ୟମରେ ସକାଳ ୮ ଟାରୁ ସନ୍ଧ୍ୟା 5 ଘଟିକା ପର୍ଯ୍ୟନ୍ତ ସହିଦନ ଗର, ଖଣ୍ଡଗିରି ଏବଂ ପଟିଆ ସମେତ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ରେ ରଜ ପିଠା ଉପଲବ୍ଧ ହେବ ।
ଏହା ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହାକୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଏବଂ ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଏହି ତିନିଦିନିଆ ଉତ୍ସବ ଚଳିତ ମାସ 14 ରୁ 16 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ।
ଏହି ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରଜକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଓଟିଡିସି ସମୁଚିତ ପଦକ୍ଷେପ ଗ୍ରହଣ କରିଛି । ୨୦୧୦ ମସିହାରୁ ଓଟିଡିସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ରଜ ମହୋତ୍ସବ ମାଧ୍ୟମରେ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟ ସହ ରଜଦୋଳି, ପିଠା ଓ ରଜ ପାନକୁ ପ୍ରୋତ୍ସାହିତ କରିବାରେ ସଫଳତା ହାସଲ ହୋଇପାରିଛି । ଆଧୁନିକତା ମଧ୍ୟରେ କୃଷିଭିତ୍ତିକ ଗଣପର୍ବ ରଜ ଏହାର ମୌଳିକତା ବଜାୟ ରଖିବାରେ ସକ୍ଷମ ହୋଇଛି । ଏହି ପର୍ବ ବସୁଧା ମାତା ଏବଂ ମହିଳାମାନଙ୍କ ସମ୍ମାନର ପ୍ରତୀକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଓଟିଡିସିର ଅଧ୍ୟକ୍ଷ ଡ. ମହାନ୍ତି ରାଜ୍ୟର ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାରରେ ସହଯୋଗ କରିଥିବାରୁ ସମସ୍ତ ବୁଦ୍ଧିଜୀବୀ ଏବଂ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶ୍ରୀ ରାଜକିଶୋର ପଲେଇ ଏବଂ ଓଟିଡିସି କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡା ମଧ୍ୟ ନିଜର ମତବ୍ୟକ୍ତ କରିଥିଲେ ।
ଆଜିର ଉଦ୍ଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ପାନ୍ଥନିବାସ ପରିସରରେ ଅନେକ କୁନି ଝିଅ ଏବଂ ମହିଳାମାନେ ରଜ ପିଠା, ରଜ ଦୋଳି ଏବଂ ମେହେନ୍ଦିର ମଜା ନେଉଥିବାର ଲକ୍ଷ୍ୟ କରାଯାଇଥିଲା ।












Click it and Unblock the Notifications