ଆଜି ଠୁ ବଦଳିବ ପାଗ, ରାଜ୍ୟରେ କମିବ ତାତି
ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଦିନର ତାପମାତ୍ରା ବଢିବାରେ ଲାଗିଛି । ଫେବୃଆରୀ ନ ସରୁଣୁ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା 35 ଡିଗ୍ରୀ ପାର୍ ହୋଇଛି । କିନ୍ତୁ ଆଜି ଠାରୁ ପାଗ ବଦଳିବ । ଦିନର ତାପମାତ୍ରା କମିବା ସହ ତାତିରୁ ମିଳିବ ତ୍ରାହି ।
ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ବି ହୋଇପାରେ । ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା ସମ୍ଭାବନା ନାହିଁ । ଅପରପକ୍ଷରେ ବର୍ତ୍ତମାନ ତୁଳନାରେ ତାପମାତ୍ରା 2-3 ଡିଗ୍ରୀ କମିବା ସମ୍ଭାବନା ଅଛି ।
ଶୁକ୍ରବାର ଠାରୁ ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିବ । ଗୁରୁଚାପ ବଳୟ ଯୋଗୁ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହିବ । ଏହା ପଶ୍ଚିମ ପଟୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସି ବର୍ଷା କରାଇବା ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି, ଶୁକ୍ରବାର ଉପକୂଳ ଓଡ଼ିଶା ସହ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଶନିବାର ଉତ୍ତର ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳର ଅଳ୍ପ କେତେକ ସ୍ଥାନରେ ଏବଂ ଦକ୍ଷିଣ ଉପକୂଳ ଏବଂ ରାୟଗଡ଼ା, କୋରାପୁଟର ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ଅଛି ।
ଆଜି ଅପେକ୍ଷା ଆସନ୍ତାକାଲି ବର୍ଷାର ପରିମାଣ ବଢିବ । ପ୍ରାୟ 6 ଦିନ ଯାଏଁ ବର୍ଷା ଲାଗି ରହିବ । ମେଘୁଆ ପାଗ ଯୋଗୁଁ ଦିନର ତାପମାତ୍ରା କମିବାର ଆଶଙ୍କା ରହିଛି । ଗତକାଲି ସୁବର୍ଣ୍ଣପୁରରେ ସର୍ବୋଚ୍ଚ ତାପମାତ୍ରା 36.3 ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି 36.2 ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନର ରହିଥିଲା ତାଳଚେର, ଭୁବନେଶ୍ୱର । 5 ଟି ସହରରେ 35 ଡିଗ୍ରୀ ଉପରେ ଥିଲା ପାରଦ ।
ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କଟକ, ବୌଦ୍ଧ, କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । 28 ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୁଖ୍ୟତଃ ବର୍ଷାର ପରିମାଣ ପ୍ରାୟତଃ ହାଲୁକା ରହିବ । ଏହା ପ୍ରଭାବରେ ଦିନ ତାପମାତ୍ରା କମିବ । ହେଲେ ରାତି ତାପମାତ୍ରା କମିବନି । ରାତି ତାପମାତ୍ରା ପ୍ରାୟତଃ 20 ଡିଗ୍ରୀ ଉପରେ ଅଛି ।












Click it and Unblock the Notifications