ସୃଷ୍ଚି ହେଲା ଲଘୁଚାପ, ଆସନ୍ତା କାଲି ନେବ ଅବପାତ ରୂପ; 23 ରୁ ହେବ ବର୍ଷା
ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ । ଆସନ୍ତା କାଲି ଭିତରେ ନେବ ଅବପାତର ରୂପ । ଏହା ପରେ 23 ରୁ ଆରମ୍ଭ ହେବ ବର୍ଷା । ଫଳରେ ଏଥର ଭିଜିବ ଦଶହରା । ପୂଜା ଠାରୁ ଭସାଣୀ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି ।
ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏବେ ସେହି ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ମଧ୍ୟ ବାୟୁମଣ୍ଡଳ ସ୍ତର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଲଘୁଚାପ 22 ତାରିଖ ବେଳକୁ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

22 ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ଗତିପଥ ବଦଳାଇ ଧୀରେ ଧୀରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଏହି ସମୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ ।
ଏହା ପରେ ଅକ୍ଟୋବର 23 ରୁ ଆରମ୍ଭ ହେବ ବର୍ଷା । 23 ଓ 24 ତାରିଖରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଅକ୍ଟୋବର 24 ଓ 25 ତାରିଖରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଓ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଲଘୁଚାପ ଓ ଏହାର ଅଧିକ ତୀବ୍ରତା ପ୍ରଭାବରେ 22 ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଘଣ୍ଟାପ୍ରତି 45 ରୁ 55 କିମି ପବନର ବେଗ ରହିବା ସହ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ 50 ରୁ 60 କିଲୋମିଟର ବେଗରେ ପବନ ବହିବ । ସେହିପରି 24 ତାରିଖରୁ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି 45 ରୁ 65 କିଲୋମିଟର ରହିବ । ଏହି ସମୟରେ ଏହି ସବୁ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ ।
ଅକ୍ଟୋବର 22 ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, 23 ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳକୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications