Rain In Odisha: ଏଥର ବି ହେଲାନି ବର୍ଷା ! ଚିନ୍ତା ବଢାଇଲା ଅଗଷ୍ଟରେ ନିଅଣ୍ଟିଆ ବର୍ଷା
Rain In Odisha: ଚିନ୍ତା ବଢାଇଲାଣି ନିଅଣ୍ଟିଆ ବର୍ଷା । ଚଳିତ ଅଗଷ୍ଟରେ ଗତ 123 ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଅଗଷ୍ଟ ମାସରେ ବର୍ଷାର ଦେଖାନାହିଁ । ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି ।

ଚଳିତ ଅଗଷ୍ଟ ମାସରେ 1 ରୁ 28 ତାରିଖ ମଧ୍ୟରେ ରାଜ୍ୟରେ 298.6 ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା 333.5 ମିମି ତୁଳନାରେ ପାଖାପାଖି 10% କମ । ଗତ 5 ବର୍ଷର ଅଗଷ୍ଟମାସର ବର୍ଷାକୁ ଦେଖିଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ସଙ୍କେତ ଦେଉଛି ଯେ ପାଗରେ ବଡ଼ ପରିବର୍ତ୍ତନ ହେଲାଣି । 2017 ପରଠାରୁ ମୌସୁମୀ ବର୍ଷାର ଚିତ୍ରକୁ ଦେଖିଲେ, ଅଗଷ୍ଟ ଶେଷ ସୁଦ୍ଧା ଅନୁଭୂତ ହେଉଥିବା ବର୍ଷାକୁ ଦ୍ୱିତୀୟ ନିଅଣ୍ଟିଆ ବର୍ଷ ବୋଲି ଗଣନା କରାଯାଇପାରିବ ।
ରାଜ୍ୟରେ ମୌସୁମୀ ପ୍ରବାହ ପାଖାପାଖି 11 ଦିନ ଦୁର୍ବଳ ରହିଛି । ଏଣେ ଏଭିତରେ ଆଉ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । କିଛି ମଡେଲ୍ କହୁଛି, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ । କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି । ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ ।
ନିଅଣ୍ଟିଆ ବର୍ଷା ପରେ ଧାନ ଅମଳ କମିଯିବା ନେଇ ଆଶଙ୍କା ବଢିଲାଣି । ଚାଷୀ ମୁଣ୍ଡରେ ପଡ଼ିଲାଣି ଚଡ଼କ । ଆଗକୁ କେଇ ଅସରା ଭଲ ବର୍ଷା ନହେଲେ ଏଥର ଅମଳ କମିଯାଇପାରେ । ଏନେଇ ଚାଷୀକୂଳକୁ ଘାରିଛି ଚିନ୍ତା ।
ତେବେ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, 11 ଟି ଜିଲ୍ଲାରେ ସ୍ବାଭାବିକଠାରୁ 20 ରୁ 35 ପ୍ରତିଶତ କମ ବର୍ଷା ହୋଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶା ରହିଛି, ତେବେ ଦ୍ବିତୀୟ ଏବଂ ତୃତୀୟ ସପ୍ତାହ ପୁଣି ଶୁଖିଯିବା ଆଶଙ୍କା ରହିଛି ।
ଆଉ କିଛିଦିନ ବର୍ଷା ନହେଲେ ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗିର, ନୟାଗଡ଼, ନୂଆପଡ଼ା ଜିଲ୍ଲା ମଧ୍ୟ ନିଅଣ୍ଟିଆ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଯିବ । ଚିନ୍ତାର ବିଷୟ ହେଲା, ପ୍ରାୟ ସପ୍ତାହେ ହେଲାଣି ରାଜ୍ୟରେ ଭଲ ବର୍ଷା ହୋଇନି । ତେଣୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି ।












Click it and Unblock the Notifications