କୋହଲା ପାଗକୁ ବଢୁଛି ଶୀତ, ଆହୁରି ତିନି ଦିନ ବର୍ଷିବ
ଭୁବନେଶ୍ଵର: ପୁଣି ଫେରିଛି ଶୀତ । ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଲାଗି ରହିଛି ଶୀତ ଲହରି । ଏହା ସହ ଅନେକ ସ୍ଥାନରେ ବର୍ଷା ଲାଗି ରହିବା ଫଳରେ ଶୀତର ମାତ୍ରା ବଢିଛି ।
ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗି ରହିଛି ଝିପିଝିପି ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରିଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା ।

ଏହା ସହ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରହିଛି ବର୍ଷା । ଗୁରୁଚାପ ବଳୟର ସକ୍ରିୟତା ଆଗାମୀ 25 ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବ । 26 ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, 22 ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଏହା ପରେ 23 ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ସେହିପରି 24 ରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । 25 ରେ ଉତ୍ତର ଉପକୂଳ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
26 ଓ 27 ରେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିବା ସହ ହାଲୁକା ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଘନ କୁହୁଡ଼ି ବି ରହିବ ।
ଉତ୍ତର ପଶ୍ଚିମ ଭାରତରୁ ସମୁଦ୍ର ଦେଇ ଓଡ଼ିଶାକୁ ଆସୁଥିବା ପବନ ପ୍ରଭାବରେ ବର୍ଷା ହେବ । ସେହିଭଳି ପାଗ ମେଘୁଆ ରହିବା ଯୋଗୁ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ି ଯାଇଥିଲା । ଏଥିପାଇଁ କମ୍ ଶୀତ ଅନୁଭୂତ ହୋଇଥିଲା । ରାଜଧାନୀରେ ରାତି ତାପମାତ୍ରା 19 ଡିଗ୍ରୀ ଟପିଥିଲା । ସେହିପରି ଗୋପାଳପୁରରେ 20, ପାରାଦୀପରେ 19, କଟକରେ 17, ଫୁଲବାଣୀରେ 15.5, ବରଗଡ଼ରେ 15.4, ଦାରିଙ୍ଗିବାଡ଼ିରେ 14 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।












Click it and Unblock the Notifications