ଆସନ୍ତା 31 ରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ
ଭୁବନେଶ୍ୱର: ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆସନ୍ତା 31 ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ । ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ ରଘୁବର । 1980 ମସିହାରୁ ରାଜନୀତିରେ ଅଛନ୍ତି ଶ୍ରୀ ଦାସ । ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖି କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ । ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ କାମ ବି ସହଜରେ କରି ହୋଇଥାଏ ।
ଏହା ପୂର୍ବରୁ ରଘୁବର 5 ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର ମଧ୍ୟ କାର୍ଯ୍ୟ କରିଛନ୍ତି । ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଦାୟିତ୍ୱ ତୁଲାଇଥିଲେ । ସେ 2019 ଯାଏଁ ଏହି ପଦରେ ରହିଥିଲେ ।
ସୂଚନାଯୋଗ୍ୟ ଯେ, ଆଜି ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ ମାନେ ଯୋଗଦେବେ ।












Click it and Unblock the Notifications