ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ
ଭୁବନେଶ୍ୱର: ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ । 26 ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ।
ଶପଥ ଗ୍ରହଣ ପୂର୍ବରୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ଆଶିଷ ନେଇଥିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ଏହା ପରେ ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ରଘୁବର ଓଡ଼ିଶାର 26 ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରି ଶପଥ ନେଇଛନ୍ତି ।

ଏହା ପୂର୍ବରୁ ଗତକାଲି ରାଜଭବନରେ ପହଞ୍ଚିଥିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳଙ୍କ ସମେତ 80 ରୁ ଅଧିକ ଅତିଥି ରାଜଭବନ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ରାଜଭବନରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ନୂଆ ରାଜ୍ୟପାଳ । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି ।
ମହାପ୍ରଭୁଙ୍କୁ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ରଘୁବର । ତାହା ସହିତ ସେ ଆହୁରି କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ, ଓଡ଼ିଶାର ଜନତାଙ୍କ ସେବା ସୌଭାଗ୍ୟ ମିଳିଲା । ଚେଷ୍ଟା ରହିବ ଗରିବ, ଶୋଷିତ, ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ । କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦାୟିତ୍ୱ ନେବି ବୋଲି ସେ କହିଛନ୍ତି ।
ଜଣେ ମହା ସେବକଭାବେ ଗରିବଙ୍କ ଯାଏ ଯୋଜନା ପହଞ୍ଚିବା ଦାୟିତ୍ୱ ନେବି । ରାଜଭବନ ଦ୍ୱାର ଗରିବ ଲୋକଙ୍କ ପାଇଁ 24 ଘଣ୍ଟା ଖୋଲା ରହିବ ବୋଲି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଗଣମାଧ୍ୟମ ଆଗରେ କହିଛନ୍ତି ।
ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । 1955 ମେ 3 ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ । 1977 ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ 1980 ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ 1995 ରେନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ । 2014 ରୁ 2019 ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ରଘୁବର ଦାସ ।












Click it and Unblock the Notifications