ଭିମସାରରେ ପୁଣି ରାଗିଂ, ଜୁନିଅରଙ୍କୁ ଗାଳିଗୁଲଜ ସହ ଦେଲେ ମାନସିକ ନିର୍ଯ୍ୟାତନା

ବୁର୍ଲା : ଭିମ୍ସାର୍ରେ ପୁଣି ଆସିଛି ରାଗିଂ ଅଭିଯୋଗ । ପ୍ରଥମ ବର୍ଷ ଛାତ୍ରଙ୍କୁ ଚତୁର୍ଥ ଓ ପଞ୍ଜମ ବର୍ଷର ଛାତ୍ର ରାଗିଂ କରିଥିବା ନେଇ ହୋଇଛି ଅଭିଯୋଗ । ଏ ନେଇ ପୀଡ଼ିତ ଛାତ୍ର ଲିଖିତ ଅଭିଯୋଗ କରିଛନ୍ତି ।
ଦୁଇ ଜଣ ବରିଷ୍ଠ ଛାତ୍ର ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଂ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମିଳିବା ପରେ ଭିମ୍ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି ।
ରାଜ୍ୟର ମେଡିକାଲମାନଙ୍କୁ ନେଇ ମିଳିତ ବାର୍ଷିକ ଉତ୍ସବ ଆୟୋଜନ ଦାୟିତ୍ୱ ଏଥର ଭିମ୍ସାର୍କୁ ମିଳିଛି । ଏଥିପାଇଁ ଭିମ୍ସାର୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି ଚାଲିଛି । ମଙ୍ଗଳବାର ଦିନ ପ୍ରେକ୍ଷାଳୟରେ ଏଭଳି ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଚତୁର୍ଥ ବର୍ଷର ଜଣେ ଛାତ୍ର ଓ ଶେଷ ବର୍ଷର ଜଣେ ଛାତ୍ର ପ୍ରଥମ ବର୍ଷର ଛାତ୍ରମାନଙ୍କୁ ରାଗିଂ କରିଥିଲେ । ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ବେଶ୍ କିଛି ସମୟ ଧରି ସେମାନଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ଏହା ପେର ପ୍ରଥମ ବର୍ଷର ପୀଡ଼ିତ ଛାତ୍ର ଲିଖିତ ଅଭିଯୋଗ କରିଥିଲେ ।
ପୀଡ଼ିତ ଛାତ୍ରମାନଙ୍କ ଲିଖିତ ଅଭିଯୋଗ ପରେ ଆଜି ଭିମ୍ସାର୍ର ଆଣ୍ଟି ରାଗିଂ କମିଟିର ଏକ ବୈଠକ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅପରପକ୍ଷରେ ଏହି ବିଷୟରେ ୱାଡେନ୍ ପ୍ରଫେସର ବ୍ରଜବିହାରୀ ପଣ୍ଡା ରାଗିଂ ଅଭିଯୋଗକୁ ସ୍ୱୀକାର କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ ଏହା ପୂର୍ବରୁ 2 ବର୍ଷ ତଳେ ଭିମସାରରେ ରାଗିଂ ଅଭିଯୋଗକୁ ନେଇ 18 ଜଣ ଛାତ୍ରଙ୍କୁ 54 ହଜାର ଟଙ୍କା ଜରିମାନା କରାଯାଇଥିଲା ।












Click it and Unblock the Notifications