ଆଉ ଠକେଇର ଶିକାର ହେବେନି ଜଗାପ୍ରେମୀ, ଆନନ୍ଦର ବଜାରରେ ଲାଗିବ ମହାପ୍ରସାଦ ରେଟ୍ ଚାର୍ଟ
ପୁରୀ: ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଆଉ ଠକେଇର ଶିକାର ହେବେନି ଜଗା ପ୍ରେମୀ । ସୁଲଭ ମୂଲ୍ୟରେ ପାଇ ପାରିବେ ମହାବାହୁଙ୍କ ମାହପ୍ରସାଦ । ଅଧିକ ଦରରେ ବିକ୍ରି ହୋଇପାରିବନି ମହାପ୍ରସାଦ । ଏପରିକି ଆନନ୍ଦ ବଜାରରେ ମହାପ୍ରସାଦର ଲାଗିହ ରେଟ୍ ଚାର୍ଟ । ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ।

ମନ୍ଦିର ବେଢା ଭିତରେ ଥିବା ଆନନ୍ଦବଜାରରେ ଶ୍ରଦ୍ଧାଳୁଙ୍କୁ ଚଢା ଦରରେ ମହାପ୍ରସାଦ ବିକିବା ଏବଂ କେତେକ ଅଣ ସୁପକାର ଅବଢା ବିକ୍ରି କରିବା ସହ ଭକ୍ତଙ୍କୁ ଦୁର୍ବବ୍ୟବହାର କରୁଥିବା ନେଇ ଖବର ଆସିବା ପରେ ତତ୍ପର ହୋଇଉଠିଛି ମନ୍ଦିର ପ୍ରଶାସନ । ଏହା ପରେ ଶ୍ରୀମନ୍ଦିରରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା କରିବା ତଥା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ କିପରି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା ।
ଏହାବ୍ୟତୀତ ମହାପ୍ରସାଦ ସେବନରେ ଭକ୍ତମାନେ ଠକାମୀର ଶିକାର ହେଉଥିବା ନେଇ ଅଭିଯୋଗ ଉପରେ ସମାଧାନ ପାଇଁ ବୈଠକରେ ସୁଆର, ମହାସୁଆର ନିଯୋଗ ,ପରିଚାଳନା କମିଟି ସଦସ୍ୟ,ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର 11 ଜଣଙ୍କୁ ନେଇ କୋର୍ କମିଟି ଗଠିତ ହୋଇଛି ।
ଆନନ୍ଦ ବଜାରରେ ଅବଢା ବିକ୍ରି କରୁଥିବା ଅଣସୁପକାରଙ୍କୁ ଚିହ୍ନଟ କରି ବାହାର କରିବା,ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାର୍ଟ ଲଗାଇବା ,ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ,ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ କରିବା , ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ଶେଡର ବ୍ୟବସ୍ଥା କରିବା, ଉତ୍ତର ଦ୍ଵାରରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଶୁଖିଲା ଓ ମହାପ୍ରସାଦ ଯୋଗାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ନିଷ୍ପତ୍ତି ନିଆଯାଇଛି ।
କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ । କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ଆନନ୍ଦବଜାରରେ ବିକ୍ରି ହେବ । କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ ।
ଆନନ୍ଦବଜାର ମାଳି ଦୋକାନରେ ଖେଳଣା ବନ୍ଧୁକ ସହ ଅନ୍ୟାନ୍ୟ ଖେଳଣା ବିକ୍ରି ବନ୍ଦ ହେବ ।କେବଳ ଧାର୍ମିକ ଜିନିଷ ବିକ୍ରି ହେବ । ବାସି ମହାପ୍ରସାଦ ବିକ୍ରି ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟମିତ ଯାଞ୍ଚ କରିବେ । ମହାପ୍ରସାଦରେ ଡାଲ୍ଡା ଘିଅ ବ୍ୟବହାର ହେଲେ, କାର୍ଯ୍ୟାନୁଷ୍ଠାନ ହେବ । ଭୋଗମଣ୍ଡପରୁ ମହାପ୍ରସାଦ ବାହରିବା ପରେ ବୋଝିଆମାନେ ବାଇଶି ପାହାଚ ପାର୍ଶ୍ୱରେ ଆନନ୍ଦବଜାରକୁ ଥିବା ବାଟ ଦେଇ ମହାପ୍ରସାଦ ନେବା ଆଣିବା କରିବେ । ଦର ତାଲିକା ବି ଖୁବଶୀଘ୍ର ଲାଗିବ, ଫଳରେ ଭକ୍ତମାନେ ଠକାମିର ଶିକାର ହେବେ ନାହିଁ ।












Click it and Unblock the Notifications