ସୋଶାଲ ମିଡ଼ିଆରେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ, ସୁରକ୍ଷାକୁ ନେଇ ପ୍ରଶ୍ନ
ପୁରୀ: କଡ଼ା ସୁରକ୍ଷା ଓ ଚେକିଂ ସୁଦ୍ଧା ଶ୍ରୀମନ୍ଦିର ପରିସର ଭିତରକୁ ଯାଉଛି ମୋବାଇଲ । ଶ୍ରୀମନ୍ଦିର ପରିସର ଭିତରର ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବନାରସରୁ ଆସିଥିବା ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ କରିଛନ୍ତି ଏଭଳି ଦଣ୍ଡନୀୟ ଅପରାଧ । ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀମନ୍ଦିର ବେଢା ଭିତରର ଫଟୋ ପୋଷ୍ଟ କରିଛନ୍ତି ।

ମନ୍ଦିର ଭିତରକୁ ମୋବାଇଲ ବାରଣ ଥିଲେ ସୁଦ୍ଧା ଏପରି ଭିଡ଼ିଓ ଉଠାଇବା ଘଟଣା ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ଶ୍ରୀମନ୍ଦିର ଭିଡିଓ ଭାଇରାଲ୍ ହେବା ଏହା ପ୍ରଥମଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଛି । ବର୍ତ୍ତମାନ ରଥଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ବେଢାରେ ଭିଡିଓ କରିଥିବା କୁହାଯାଉଛି ।
ତେବେ ମନ୍ଦିର ଭିତରକୁ ମୋବାଇଲ ବାରଣ, କଡ଼ା ସୁରକ୍ଷା ଓ ଚେକିଂ ସତ୍ତ୍ୱେ ଯୁବକ ଜଣକ କିପରୁ ମୋବାଇଲ ନେଇ ଭିତରକୁ ଗଲେ ତାକୁ ନେଇ ପ୍ରଶ୍ନ ଉଠୁଛି । ଏହା ବାଦ୍ ମନ୍ଦିର ବେଢାରେ ଏତେ ସଂଖ୍ୟକ ପୋଲିସ ଓ ଭକ୍ତ ଥିବା ସତ୍ତ୍ୱେ ସେ ଭିଡ଼ିଓ ସୁଟ୍ କଲେ ଏବଂ ଏହା କାହା ନଜରରେ କିପରି ଆସିଲାନି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
ଏପରି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ନିଜ ଆଡୁ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ଆସନ୍ତା 7 ତାରିଖରେ ସିଂହଦ୍ୱାର ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଓ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।












Click it and Unblock the Notifications