Jagananth Temple : ପ୍ରଶାସନ ନିର୍ଦ୍ଦେଶକୁ ହତାଦର, ଆଜି ବି ହେଲାନି ମହାପ୍ରଭୁଙ୍କ ବନକଲାଗି ନୀତି
ଭୁବନେଶ୍ୱର : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ କେବେ ହେବ ସେ ନେଇ ଲାଗି ରହିଛି ବିବାଦ । ଏଥି ମଧ୍ୟରେ ଆଜି(ବୁଧବାର) ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଅଣଦେଖା କରିଛନ୍ତି ଦତ୍ତମହାପାତ୍ର । ଆଜି ବି ଠାକୁରଙ୍କ ହୋଇପାରିନି ବନକାଲାଗି ନୀତି ।

2018 ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବା ନେଇ କହିଛି ମନ୍ଦିର ପ୍ରଶାସନ । କିନ୍ତୁ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ ଏବେ ଗୁରୁବାର କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରୁଛି । ନିଳାଦ୍ରୀ ବିଜେ ପରଠାରୁ ଏଯାବତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସୃଙ୍ଗାର ନୀତି ହୋଇନାହିଁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଆଜି ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତମହାପାତ୍ର ସେବକଙ୍କୁ ନିର୍ଦ୍ଦେଶ ଦେଇଥିଲା । ଆଜି ବନକଲାଗି ନୀତି ପାଇଁ ସବୁ ଦ୍ରବ୍ୟ ପ୍ରସ୍ତୁତ ରଖିଛି ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯୁକ୍ତି ରଖି କହିଛନ୍ତି, ଆଜି ବନକଲାଗି କରାନଗଲେ ଧାରା 33 ଅନୁଯାୟୀ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ ।
ଗତ 19 ତାରିଖରେ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏହାର ପୂର୍ବଦିନ ନିର୍ଦ୍ଦେଶ ଦେଇଥିଲା । ହେଲେ ଏହାକୁ ବି ବେଖାତିର କରିଥିଲା ଦତ୍ତମହାପାତ୍ର ନିଯୋଗ । ଆଜି ବନକଲାଗି କରିବାକୁ ଆଉ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ଶେଷ ଖବର ସୁଦ୍ଧା ବନକଲାଗି ହୋଇନି । ଆଜି ବନକଲାଗି ନୀତି ନକଲେ ପ୍ରଶାସନ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ବିକଳ୍ପ ବ୍ୟବସ୍ଥା କରିବ ବୋଲି ଚେତାବନୀ ଦେଇଛି ।
ଗୁରୁବାର ନୁହେଁ, ଆଜି ହିଁ ଶ୍ରୀଜୀଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନରନିର୍ଦ୍ଦେଶ ଦେଇଥିଲା । ଆଜି ବନକ ଲାଗି ନ କଲେ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।
ସେ କହିଛନ୍ତି, 2018 ମସିହାରେ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରାଯାଏ । ବୁଧବାର ନହୋଇପାରିଲେ ଗୁରୁବାର ଏହି ନୀତି କରାଯାଏ । ଏବାବଦରେ ବାମଦେବ ସଂହିତାରେ ମଧ୍ୟ ବୁଧବାର ବନକଲାଗି ନୀତି କରିବାକୁ ଉଲ୍ଲେଖ କରାଯାଇଛି । ଦତ୍ତମହାପାତ୍ର ନିଯୋଗ କିନ୍ତୁ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ସେହିପରି ଶ୍ରୀମନ୍ଦିର ପ୍ରଶାସନର ଏକ ନିର୍ଦ୍ଦେଶନାମାରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ସପ୍ତାହର ଗୁରୁବାର ଦିନ ବନକଲାଗି ହେଉଛି । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ଚଳିତ ବର୍ଷ ଜୁନ୍ ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସୂଚନା ଥାଉକି, ଗତମାସ 20 ତାରିଖରେ ଅନୁଷ୍ଠିତ ରଥଯାତ୍ରା ପରଠାରୁ ଏପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ବା ଶ୍ରୀମୁଖ ସିଙ୍ଗାର କରାଯାଇନି ।












Click it and Unblock the Notifications