ଆସନ୍ତା 27 ରେ ଓଡ଼ିଶା ଆସିବେ ମହାମହିମ, ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ହେବେ ସାମିଲ
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ମହାମହିମ । ଆସନ୍ତା 27 ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏନେଇ ରାଷ୍ଟ୍ରପତିଙ୍କ ଭବନ ତରଫରୁ ସୂଚନା ଦିଆଯାଇଛି ।

ରାଷ୍ଟ୍ରପତି ଆସନ୍ତା 27 ତାରିଖ ସକାଳ 10 ଟାରୁ ଏହି ଉତ୍ସବରେ ଯୋଗଦେବେ । ପାରାଦୀପରେ ସେହି ଦିନ 10 ଟା ରୁ 12.30 ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ବୋଲି ଗତକାଲି ତାଙ୍କର ବ୍ୟକ୍ତିଗତ ସଚିବ ସମ୍ପଦ ମେହେଟ୍ଟା ଭାରତ ସରକାରଙ୍କ ବନ୍ଦର, ଜାହାଜ ଏବଂ ଜଳମାର୍ଗ ମନ୍ତ୍ରଣାଳୟକୁ ଚିଠି ଯୋଗେ ଅବଗତ କରାଇଛନ୍ତି । ପାରାଦୀପକୁ ରାଷ୍ଟ୍ରପତି ଆସୁଥିବା ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜିଠାରୁ ପ୍ରସ୍ତୁତି ଜୋରଦାର କରାଯାଇଛି ।
ଓଡ଼ିଆ ଜାତିର ଅନନ୍ୟ ପରମ୍ପରା, ସାଧବ ପୁଅଙ୍କର ବୀରତ୍ୱର ଗାଥା ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ପ୍ରତିବର୍ଷ ପାଳନ କରନ୍ତି । ପାରାଦୀପ ବୋଇତ ବନ୍ଦାଣ ଉତ୍ସବ ସବୁବେଳେ ସ୍ୱତନ୍ତ୍ର । ପୂର୍ବରୁ ଅନେକ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆସିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବାରୁ ଏହାକୁ ନେଇ ବନ୍ଦର ଅଞ୍ଚଳରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି । ଗତକାଲି ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବା ପରେ ଏହି କାର୍ଯ୍ୟକ୍ରମ ସ୍ଥିର ହୋଇଛି ।












Click it and Unblock the Notifications