ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ତିନୋଟି ଟ୍ରେନର ଶୁଭାରମ୍ଭ କଲେ ମହାମହିମ
ବାରିପଦା: ତିନି ଦିନିଆ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ଗସ୍ତର ଦ୍ୱିତୀୟ ଦିନନ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପାହାଡପୁରର ମୁର୍ମୁ ଛକରେ ସ୍ୱାମୀ ତଥା ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼ - ଶାଲିମାର ସାପ୍ତାହିକ ଏକ୍ସପ୍ରେସ । ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଜଳସଂପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ଏହାପରେ ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟନ କରାଯାଇଛି । ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିଛନ୍ତି । ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହ ପୂର୍ବାହ୍ନ 10.45 ରୁ 11.25 ଭିତରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ । ଏଥିରେ 200 ଛାତ୍ରଛାତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ରେଳଯାତ୍ରା କରିବେ ।
ଏହାପରେ ଅପରାହ୍ଣରେ ସମ୍ବଲପୁର ଯାଇ ବୁର୍ଲା ଭିସୁଟ୍ ସମାବର୍ତ୍ତନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆଜିର ଶେଷ କାର୍ଯ୍ୟକ୍ରମ ଭାବେ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଆଙ୍କର ଦର୍ଶନ ଓ ଆଳତୀ କରିବେ ମହାମହିମ ।
ଗତକାଲି ୩ଦିନିଆ ଗସ୍ତର ପ୍ରଥମ ଦିନରେ ଜନ୍ମମାଟି ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେଇ ଅଭିଭାଷଣ ରଖିବା ସହ ଦେଶବ୍ୟାପି ଥିବା ସାନ୍ତାଳି ଭାଷାର ବିକାଶ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।












Click it and Unblock the Notifications