ଆଜି ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ

ଭୁବନେଶ୍ୱର : ଆଜି ଆସୁଛନ୍ତି ମହାମହିମ । ଏ ନେଇ ମୟୁରଭଞ୍ଜରେ ପ୍ରସ୍ତୁତି ଜୋରଦାର ଚାଲିଛି । ରାଇରଙ୍ଗପୁର ଯିବେ ମହାମହିମ । ଯେଉଁଥି ପାଇଁ ସଜେଇ ହେଉଛି ତାଙ୍କ ଗାଁ ପାହାଡ଼ପୁର । ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ମଧ୍ୟ ଦେଖିବା ପାଇଁ ମିଳୁଛି । ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ରାଷ୍ଟ୍ରପତି ହେବା ପରେ ଏହା ଦୌପ୍ରଦୀ ମୁର୍ମୁଙ୍କର ତୃତୀୟ ଓଡିଶା ଗସ୍ତ । ହେଲେ ନିଜ ଜନ୍ମମାଟିକୁ ଏହା ପ୍ରଥମ ଗସ୍ତ । ଯାହାକୁ ନେଇ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ହେଲିକପ୍ଟରର ଟ୍ରାଏଲ୍ ରନ କରାଯାଇଛି ।ବାରିପଦାର ରାଣିବଦ୍ଧଠାରେ ଚାରିଟି ଅସ୍ଥାୟୀ ହେଲିପେଡ ନିର୍ମାଣ କରାଯାଇଛି । ବାୟୁସେନାର ଅଧିକାରୀ ମାନେ ଆସି ହେଲିପେଡର ଯାଞ୍ଚ କରିଛନ୍ତି ।
ଆଜି (ଗୁରୁବାର) ଦିନ ଓଡିଶାରେ ପହଞ୍ଚି ମ୍ୟାଡମ ପ୍ରେସିଡେଣ୍ଟ ପ୍ରଥମେ ବାଦାମପାହାଡ଼ରେ ହେଲିକପ୍ଟରରେ ଅବତରଣ କରି ନିଜ ଶ୍ୱଶୁର ଘର ପାହାଳପୁରକୁ ଯିବେ । ଏହା ପରେ ସେ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସ୍ଥାନୀୟ ହାଟବାଦଡାର ସାତପଉଟିଆ ବ୍ରହ୍ମାକୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ 'ନିଶାମୁକ୍ତ ଓଡ଼ିଶା' କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବା ନେଇ ସୂଚନା ରହିଛି ।
5 ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯିବେ । 6 ତାରିଖରେ ବାରିପଦାର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications