ଆସନ୍ତା 5 ରେ ମୋଦୀ ଆସିବା ପୂର୍ବରୁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା 5 ତାରିଖରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଛି ।

ସୂଚନା ଅନୁସାରେ, 5 ତାରିଖ ଦିନ ତେଲେଙ୍ଗାନାରୁ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ନରେ ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଯିବାର କାର୍ଯ୍ୟକ୍ରମ ରହିଛି । ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବା ସହ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ଆସି ବିମାନ ଯୋଗେ କୋଲକାତା ଅଭିମୁଖେ ଯାତ୍ରା କରିବେ ।
ପ୍ରଧାନମନ୍ତ୍ରୀ ଆସିବା ଏବଂ କାର୍ଯ୍ୟକ୍ରମ ସାରି ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ପ୍ରଶାସନିକ ତଦାରଖ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନରେ ରାଜ୍ୟ ପ୍ରଶାସନ ତଥା ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ସବିଶେଷ ସମୀକ୍ଷା କରିଛନ୍ତି ।
ବୈଠକରେ ଭୁବନେଶ୍ବର ବିମାନବନ୍ଦର, ଚଣ୍ଡିଖୋଲ ହେଲିପ୍ୟାଡ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଠାରୁ କାର୍ଯ୍ୟକ୍ରମ ସାରି ଫେରିବା ପର୍ଯ୍ୟନ୍ତ ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରୀକାଳୀନ ସାମୟିକ ରହଣି ବ୍ୟବସ୍ଥା ପ୍ରସ୍ତୁତ ହେବାକୁ ଥିବା ମଞ୍ଚର ସୁରକ୍ଷା ଯାଞ୍ଚ, କାରକେଡ ବ୍ୟବସ୍ଥା, ଭିଭିଆଇପି ଯାତ୍ରା ସମୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଯାନ ବ୍ୟବସ୍ଥା, ବ୍ୟବହୃତ ହେବାକୁ ଥିବା ହେଲିକପ୍ଟରର ନିରାପତା, ଚିକିତ୍ସା ବ୍ୟବସ୍ଥା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତି, କାର୍ଯ୍ୟକ୍ରମ ସ୍ଥଳ ନିକଟସ୍ଥ ଡାକ୍ତଖାନାକୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତି ରଖାଯିବ । ଭିଭିଆଇପିଙ୍କ ଦ୍ବାରା ବ୍ୟବହୃତ ହେବାକୁ ଥିବା ସଡ଼କର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ, ପରିମଳ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ନିଶ୍ଚିତ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଓ ମେଲାଣି ଦେବା ପାଇଁ ଉଭୟ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।












Click it and Unblock the Notifications