ବିଜେଡ଼ିରେ ଅସନ୍ତୁଷ୍ଟ ଅରିନ୍ଦମ ! ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବାକୁ ନେଇ ତେଜିଲାଣି ରାଜନୀତି

ଭୁବନେଶ୍ୱର: ବିଜେଡ଼ିର ଷ୍ଟାର ପ୍ରଚାରକ ଏବଂ ସିନେ କଳାକାର ଅରିନ୍ଦମ ରାୟ ଦଳରେ ଅସନ୍ତୁଷ୍ଟ ଅଛନ୍ତି ! ବିଜେପି ନେତା ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଗତକାଲିର ସାକ୍ଷାତକାର ପରେ ଏହାକୁ ନେଇ ରାଜନୈତିକ ମହଲ ସରଗରମ୍ ।

ଗତକାଲି କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି 30 ମିନିଟ୍ ଧରି ଆଲୋଚନା ହୋଇଥିବା ଜଣାଯାଇଛି ।

arindam roy - bjd

ତେବେ ବିଜେଡ଼ିରେ ଥିବାବେଳେ ବିଜେପି ନେତାଙ୍କ ସହ ରୁଦ୍ଧ ଦ୍ୱାର ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି । ସେ ଦଳ ବଦଳ କରି ପଦ୍ମ ଧରିପାରନ୍ତି ବୋଲି ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହେଲାଣି ।

ଦୁଇ ଦିନ ତଳେ କଟକରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅରିନ୍ଦମଙ୍କୁ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବେଳେ ସେ ଆଗ ଧାଡିରେ ବସିଥିଲେ । ଆଉ କାର୍ଯ୍ୟକ୍ରମ ଶେଷ ହେବା ପରେ ପାଣ୍ଡିଆନଙ୍କ ସହ ଏକାଠି ଛିଡା ହୋଇ ଫଟୋ ମଧ୍ୟ ଉଠାଇଥିଲେ । ହେଲେ କାର୍ଯ୍ୟକ୍ରମକୁ 48 ଘଣ୍ଟା ନପୁରୁଣୁ ଅଶ୍ୱିନୀଙ୍କ ସହ ଏହି ଫଟୋ ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନାଥାଉକି, 2009 ମସିହାରୁ ବିଜେଡି ସହ ଅଛନ୍ତି ଅରିନ୍ଦମ । ବିଭିନ୍ନ ନିର୍ବାଚନରେ ଦଳ ତାଙ୍କୁ ଷ୍ଟାର ପ୍ରଚାରକ କରିଛି । ଏହା ପରେ 2016 ମସିହାରେ ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀକୁ ବିବାହ କରିଥିଲେ । ଏହା ପରଠୁ ସେ ଦଳରେ ଅଧିକ ସକ୍ରିୟ ହୋଇଥିଲେ ।

ନିଜର ଉପସ୍ଥିତି ଜାହିର କରିବାକୁ ଯଥା ସମ୍ଭବ ପ୍ରୟାସ କରିଥିଲେ ଅରିନ୍ଦମ । କଟକରେ ସାଂଗଠନିକ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଥିବା ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଗତ 2019 ସାଧାରଣ ନିର୍ବାଚନ ପୂର୍ବରୁ କଟକ ଲୋକସଭା ନିର୍ବାଚନୀ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ସହିତ ମିଶିଥିଲେ । ଅରିନ୍ଦମଙ୍କ ସକ୍ରିୟତା ଦେଖି ସେହି ସମୟରେ ତାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ହୋଇଥିଲା । କିନ୍ତୁ ଟିକେଟ ନ ପାଇ ସେ ନିରାଶ ହୋଇଥିଲେ । ଏହା ପରେ ରାଜ୍ୟରେ ଉପନିର୍ବାଚନ ଓ ମେୟର ଏବଂ କର୍ପୋରେଟର ନିର୍ବାଚନ ହୋଇଛି । ମାତ୍ର ଏ ସବୁ ନିର୍ବାଚନରେ ତାଙ୍କୁ କୌଣସି ଟିକେଟ ଦେଇନଥିଲା ଦଳ । ମାତ୍ର ମେୟର ନିର୍ବାଚନ ପୂର୍ବରୁ 2022 ମସିହାରେ ଅରିନ୍ଦମଙ୍କୁ ଦଳ ସାଧାରଣ ସମ୍ପାଦକ ପଦବୀ ମିଳିଥିଲା ।ମେୟର ପଦବୀ ପାଇଁ ଅରିନ୍ଦମଙ୍କୁ ନେଇ ଉଭୟ ରାଜନୈତିକ ବିଶେଷଜ୍ଞ ଓ ରାଜନେତାମାନେ ଅଙ୍କକଷା ଆରମ୍ଭ କରିଦେଇଥିଲେ । ଅରିନ୍ଦମ ମଧ୍ୟ ମେୟର ପଦ ପାଇଁ ଆଶାୟୀ ଥିବା ନେଇ ତାଙ୍କର ନିକଟତମ ସୂତ୍ରରୁ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ସେହି ସମୟରେ ମଧ୍ୟ ସେ ନିରାଶ ହୋଇଥିଲା ।

ଏହା ପରେ ସେ ଦଳରେ ଏକ ପ୍ରକାର ଅଲୋଡା ହୋଇ ପଡ଼ିଛନ୍ତି । କିଛି ଦିନ ପୂର୍ବରୁ ସେ କଥା ଛଳରେ ମଧ୍ୟ ନିଜ ଅସନ୍ତୋଷ ବଖାଣିଥିଲେ । ସେ କଥା ଛଳରେ କହିଥିଲେ କି ଯଦି ଆମେ ଦଳୀୟ କାମରେ ନ ଆସିବୁ ତେବେ ଦଳରେ କାହିଁକି ରହିବୁ । ତାଙ୍କର ଏହି ପଦକ କଥା ସେହି ସମୟରେ ରାଜନୀତିକୁ ସରଗରମ୍ କରିଥିଲା । ପରେ କାଁ ଭାଁ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+