ଯୁକ୍ତ ଦୁଇ ଓ ଯୁକ୍ତ ତିନିରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ଖାଲି ପଡ଼ିଲା 1 ଲକ୍ଷ 11 ହଜାର ସିଟ୍
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଓ ପିଲାଙ୍କ ଆଡମିଶନ୍ ରିପୋର୍ଟ ଉଦବେଗଜନକ ରହିଛି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ଆଡମିଶନ୍ ରୁ ମୁହଁ ଫେରାଉଛନ୍ତି । ଆଡମିଶନ୍ ସରିବା ପରେ ବି ଖାଲି ରହୁଛି ଲକ୍ଷାଧିକ ସିଟ୍ । ତେବେ ଶିକ୍ଷା ବ୍ୟବସ୍ଥାରେ ଏଭଳି ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କୁହାଯାଉଛି ।
ରିପୋର୍ଟ ଅନୁସାରେ, ଡିଗ୍ରୀ କଲେଜ ଗୁଡିକରେ ଖାଲି ପଡ଼ିଛି ଲକ୍ଷାଧିକ ସିଟ୍ । ଚଳିତବର୍ଷ ଯୁକ୍ତ ତିନି ନାମଲେଖା ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4ଟି ରାଉଣ୍ଡରେ ଆଡମିଶନ ହୋଇଥିବା ବେଳେ ଏବେବି ଖାଲି ପଡ଼ିଛି 1 ଲକ୍ଷ 11 ହଜାର ସିଟ୍ । ଯାହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତା ବଢିଯାଇଛି । ଜେନେରାଲ ଷ୍ଟ୍ରିମ୍ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି ଛାତ୍ରଛାତ୍ରୀ ।

ରାଜ୍ୟରେ ମୋଟ୍ 1040 ଡିଗ୍ରୀ କଲେଜରେ ରହିଛି ମୋଟ୍ 2 ଲକ୍ଷ 70 ହଜାର 163 ଆସନ । ପ୍ରଥମ ପର୍ଯ୍ୟାୟରେ 1 ଲକ୍ଷ 89 ହଜାର 55 ସିଟରେ ପିଲା ଆଡମିଶନ୍ କରିଛନ୍ତି । ଏବେ ମଧ୍ୟ 1 ଲକ୍ଷ 11 ହଜାର 108 ସିଟ ଫାଙ୍କା ପଡ଼ିଛି । କଳାରେ ସର୍ବାଧିକ 48 ହଜାର 454, ଫିଜିକାଲ୍ ସାଇନ୍ସ ରେ 26 ହଜାର 500, ବାୟୋଲୋଜିକାଲ ସାଇନ୍ସରେ 12 ହଜାର 342, ବାଣିଜ୍ୟରେ 17 ହଜାର 069 ସିଟ୍ ଖାଲି ପଡିଛି ।
ଲକ୍ଷାଧିକ ସିଟ୍ ଖାଲି ପଡିବା ପରେ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତା ବଢିଯାଇଛି । ଯୁକ୍ତ ଦୁଇ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ୍ କରିବା ପାଇଁ ଯୋନଜା କରୁଛି ବିଭାଗ । ଏଥିପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯାଇ ଆଡମିଶନ୍ ଟାଇମ୍ ଲାଇନ୍ ଦିଆଯିବ ।
ଯୁକ୍ତ ଦୁଇ ଆଡମିଶନ୍ ବେଳେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ହଜାର ହଜାର ସିଟ୍ ଖାଲି ପଡିବା ପରେ ଯୁକ୍ତ ଦୁଇରେ ଦ୍ୱିତୀୟ ପର୍ଯ୍ୟାୟ ଆଡ୍ମିଶନ କରାଯାଇଛି । ଆର୍ଥିକ ଅନଗ୍ରସର ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ବୈଷୟିକ ଶିକ୍ଷାରେ ଆତ୍ମନିର୍ଭର ଓ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ଏହା ପ୍ରଥମ ପସନ୍ଦ ପାଲଟୁଛି ବୋଲି ଛାତ୍ରଛାତ୍ରୀ କହୁଛନ୍ତି ।
ତେବେ ଉଚ୍ଚ ଶିକ୍ଷାର ମାନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଭଳି ହେଉନାହିଁ ? ବୈଷୟିକ ଶିକ୍ଷା ଭଳି ଏଥିରେ ନିଯୁକ୍ତି ସୁଯୋଗ କାହିଁକି କମ୍ ରହୁଛି ? ସେ ନେଇ ଅନେକ ପ୍ରଶ୍ନ ଉଠୁଛି । ଜେନେରାଲ୍ ଷ୍ଟ୍ରିମ୍ରେ ନିଯୁକ୍ତି ସୁଯୋଗ ଯୋଗାଇବାରେ ସରକାର ବିଫଳ ହେଉଥିବାରୁ, ଏଭଲି ସ୍ଥିତି ଉପୁଜୁଛି ବୋଲି ମତ ପ୍ରକାଶ କରୁଛନ୍ତି ଶିକ୍ଷାବିତ ।












Click it and Unblock the Notifications