ଶ୍ରୀମନ୍ଦିରରେ ହେବ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ
ପୁରୀ: ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା ପରିଧାନ ଓ ଚନ୍ଦନ ଲାଗି କରାଯିବ ।
ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବେ । ସେଠାରେ ସ୍ୱତନ୍ତ୍ର ନୀତି ପରିଚର୍ଯ୍ୟା ପରେ ବେଢା ପରିକ୍ରମଣ କରିବେ । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଶ୍ରୀମନ୍ଦିରରେ ବାମନ ଜନ୍ମ ତି ସହ ଶ୍ରୀନଅରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।

ଆଜି ଶୟନ ଗୃହରେ ହରି ଶୟନ ଏକାଦଶୀ ଠାରୁ ନିଦ୍ରାରେ ରହିଥିବା ମହାପ୍ରଭୁ କଡ଼ ଲେଉଟାଇଥାନ୍ତି ବୋଲି ବିଶ୍ୱାସ ଥିବାରୁ ଏହି ସ୍ୱତନ୍ତ୍ର ନୀତି ସନ୍ଧ୍ୟା ଧୁପ ପରେ ଅନୁଷ୍ଠିତ ହେବ ।
ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ 4 ମାସ ଶୟନ କାଳରେ 2 ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି । ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ । ତାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି ।
ସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି । ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଦଦେଉଳର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି । ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ । ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି । ଏହାପରେ ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।












Click it and Unblock the Notifications