ଆଜି ପଇତାଲାଗି ନୀତି, 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀବିଗ୍ରହଙ୍କ ହେବ ପଇତାଲାଗି ନୀତି । ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି 5 ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 5 ରୁ 10 ଟା ଯାଏଁ ଦର୍ଶନ ବନ୍ଦ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ସେବକମାନେ ଏହି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ କରାଯିବ ପଇତାଲାଗି ନୀତି । ଏହି ନୀତି ସମ୍ପନ୍ନ ପରେ ଠାକୁରମାନଙ୍କର ମହାସ୍ନାନ କରାଯିବ ।
ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦିତ ହେବାକୁ ଥିବା ବେଳେ ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକ ମାନେ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ଏହି ପଇତାକୁ ଦେଉଳ-କରଣଙ୍କୁ ଯୋଗାଇଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହି ଆସିଛି ।
ଏଣେ ନିଆଳିରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଯିବ । ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ନବବସ୍ତ୍ର ଓ ଅଷ୍ଟମୀଭାର ଯିବ । ଏବେ ମାଧବାନନ୍ଦଜୀଉ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ଆଉ କିଛି ସମୟ ମଧ୍ୟରେ ପୋଢୁଆଁ ଭାର ଶ୍ରୀମନ୍ଦର ଅଭିମୁଖେ ବାହାରିବେ । ନିଆଳି ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଜଗନ୍ନାଥଙ୍କ ମାମୁଁଘର । ସେଥିପାଇଁ କଟକ ଜିଲ୍ଲା ନିଆଳି ମାଧବାନନ୍ଦଜୀଉ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳିଆ ଠାକୁର ପୋଢୁଆଁ ହେବେ। ମହାପ୍ରଭୁ ପିନ୍ଧିବେ ନୂଆବସ୍ତ୍ର, ଲାଗିହେବ ସ୍ୱତନ୍ତ୍ର ଭୋଗ ।












Click it and Unblock the Notifications