ଆଜି ମହାପ୍ରଭୁଙ୍କ ହେବ ପଦ୍ମବେଶ ନୀତି, କଣ ରହିଛି ଏହା ପଛର କିମ୍ବଦନ୍ତୀ...

ପୁରୀ: ପଦ୍ମ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ପଦ୍ମରେ ଝଟକିବ ଶ୍ରୀମୁଖ । ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ । ଆଜି ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହେବନାହିଁ । ପଦ୍ମ ବେଶରେ ରହି ରାତ୍ର ପହୁଡ଼ ହେବ । ମାଘ ମାସ ଅମାବାସ୍ୟାଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପ୍ରଥମ ବୁଧବାର ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ ।

Padma besha

ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ । ଆଜି ସେହି ଶୁଭ ଦିନ । ପରମ୍ପରା ଅନୁଯାଇ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ । ତାପର ଦିନ ଅର୍ଥାତ ଆସନ୍ତାକାଲି ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ଆଜି ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ହୋଇ ସନ୍ଧ୍ୟା ଧୂପ ସମାପନ ହେବାପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ । ଏହାପରେ ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ଏହି ବେଶ ପାଇଁ କାରିଗର ମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେଶ ସାମଗ୍ରୀ ଯୋଗାଇ ଦେଇଛନ୍ତି ।

ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ । ଭକ୍ତ ମନୋହର ଦାଶର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ପଦ୍ମ ବେଶ କରାଯାଇଥାଏ । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି । ପଣ୍ଡୁ ପୂର୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କଦଳୀ ପାଟୁକାରେ କଦମ୍ବ ଫୁଲ, ହଂସ, ପଦ୍ମ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ । ଏହି ବେଶରେ ମହାପ୍ରଭୁଙ୍କୁ 80ଟି ପଦ୍ମ, ଏକପଣ ଡାଳି, 3ଟି ଶ୍ରୀମୁଖ ପଦ୍ମ, 7 ଟି ସିଂହାସନ ଗଛ, 4ଟି ଶ୍ରୀମୁଖ ପଦ୍ମ କଢ, 20ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, 4 ଟି ମଗର କୁଣ୍ଡଳ ଓ 4ଟି ହଂସ ଲାଗି ହେବ ।

କଣ କହୁଛି କିମ୍ବଦନ୍ତୀ ?

କିମ୍ବଦନ୍ତୀ ଅନୁସାରେ ସାଧୁ ମନୋହର ଦାସ ବହୁ ଦୂରରୁ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । କ୍ଳାନ୍ତ ହୋଇ ତୃଷାର୍ତ୍ତ ଅବସ୍ଥାରେ ପୋଖରୀ ନିକଟରେ ଅଟକିଲେ । ପୁଷ୍କରିଣୀରେ ପଦ୍ମଫୁଲ ଫୁଟିଥିବା ଦେଖି ଏସବୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ହୋଇଥିବା ଭାବି ସେ ପଦ୍ମଫୁଲ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୋଳିନେଲେ । ମାଘ ମାସ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ପହଞ୍ଚି ଫୁଲଗୁଡ଼ିକୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକଙ୍କୁ ଅନୁରୋଧ କଲେ । କିନ୍ତୁ ମଇଳା ଗାମୁଛାରେ ବନ୍ଧା ଫୁଲମାନ ଶୁଖିଯାଇଥିବାରୁ ସେସବୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକମାନେ ମନା କରିଦେଲେ । ସାଧୁ ଜଣକ ଫେରି ଆସି ବଡ଼ଛତା ମଠ ନିକଟରେ ମୂର୍ଚ୍ଛା ଗଲେ । ସେଦିନ ରାତିରେ ମହାପ୍ରଭୁ ଗଜପତିଙ୍କୁ ସ୍ବପ୍ନରେ ସାଧୁ ଆଣିଥିବା ପଦ୍ମ ଫୁଲ ଲାଗି କରିବାକୁ କହିଲେ । ସେବକମାନେ ଶୁଖିଲା ଫୁଲଗୁଡ଼ିକ ଲାଗି କରିବା ପରେ ସେଗୁଡ଼ିକ ସତେଜ ହୋଇ ସଦ୍ୟ ପ୍ରସ୍ଫୁଟିତ ହୋଇଥିବା ଭଳି ଦୃଶ୍ୟମାନ ହେଲା । ଏହା ଦେଖି ସେବକମାନେ ସାଧୁ ମନୋହରଙ୍କୁ ରତ୍ନ ସିଂହାସନ ନିକଟକୁ ପାଛୋଟି ନେଲେ । ମହାପ୍ରଭୁଙ୍କୁ ପଦ୍ମବେଶରେ ଦେଖି ସାଧୁ ଜଣକ ବିମୋହିତ ହେଲେ । ଖିରି ମହାପ୍ରସାଦ ସେବନ କରି ପ୍ରସ୍ଥାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+