Get Updates
Get notified of breaking news, exclusive insights, and must-see stories!

‘କୃଷି କ୍ଷେତ୍ରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି'

ଭୁବନେଶ୍ୱର: କୌଣସି ବିଶ୍ୱବିଦ୍ୟାଳୟର ଅସଲ ପରିଚୟ ହେଉଛି ଏହାର ଗବେଷଣା । କୃଷି କ୍ଷେତ୍ରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର 62 ତମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀମାନେ ଚାକିରି ସର୍ବସ୍ୱ ନହୋଇ ନୂତନ ଷ୍ଟାର୍ଟଅପ୍‌ ଆଦି ବିକଶିତ କରିବା ସହିତ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ କରିଛନ୍ତି ।

OUAT

ଏହି ଏବସରରେ ଶ୍ରୀ ସ୍ୱାଇଁ କହିଛନ୍ତି ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର କୃଷିରେ ଉଲ୍ଲେଖନୀୟ ବିକାଶ ଘଟିଛି । ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି । ଚାଷୀଭାଇ ଓ ଭଉଣୀମାନଙ୍କ ଅକ୍ଳାନ୍ତ ପରିଶ୍ରମ, ରାଜ୍ୟ ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ କ୍ରମାଗତ ଅଧିକ ପୁଞ୍ଜି ବିନିଯୋଗ ଓ ଯୁଗୋପଯୋଗୀ ଯୋଜନା ପ୍ରଣୟନ ଏବଂ କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା ଉଦ୍ଭାବିତ ନୂତନ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ସଫଳ ପ୍ରୟୋଗ ଦ୍ୱାରା ରାଜ୍ୟ କୃଷି କ୍ଷେତ୍ରରେ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ମନ୍ତ୍ରୀ କହିଛନ୍ତି କୌଣସି ବିଶ୍ୱବିଦ୍ୟାଳୟର ଅସଲ ପରିଚୟ ହେଉଛି ଏହାର ଗବେଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶିକ୍ଷାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବା ଓ କୃଷିଶିକ୍ଷା, ଗବେଷଣା ଓ ସଂପ୍ରସାରଣ କ୍ଷେତ୍ରରେ ଉନ୍ନତି ଆଣି ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାର ଚଳିତ ବଜେଟ୍‌ରେ 166 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ନୂତନ ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଓଡ଼ିଶାର କୃଷି-ଜୈବ ବିବିଧତାକୁ ନେଇ ଉନ୍ନତ ଫସଲ କିସମ, ଫସଲ ପରିଚାଳନା, ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ, ଫସଲର ବିବିଧିକରଣ ଏବଂ ଅଣ-ଋତୁର ପନିପରିବା ଚାଷକୁ ଚାଷୀମାନଙ୍କ ମଧ୍ୟରେ ବହୁଳ ଭାବରେ ଆଦୃତ କରାଇବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଧାନ ବ୍ୟତୀତ ଡାଲିଜାତୀୟ ଫସଲ, ତୈଳବୀଜ, ଅର୍ଥକରୀ ଫସଲ, ଉଚ୍ଚ ମୂଲ୍ୟଯୁକ୍ତ ପନିପରିବା ଓ ଫଳ ଇତ୍ୟାଦି ଅଧିକ ପରିମାଣରେ ଚାଷ କରିବାର ସମୟ ଆସିଛି । ସେହିପରି ସାଂପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମରୁଡ଼ି ସହନଶୀଳ ଫସଲ କିସମ ବିକାଶ, ଅନ୍ତଃଫସଲ ଚାଷ, ବର୍ଷାଜଳ ସଂରକ୍ଷଣ, ସମନ୍ୱିତ କୃଷି ଓ ମାଛଚାଷ, ପ୍ରାଣୀ ପାଳନ ଆଦି ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଚାକିରି ସର୍ବସ୍ୱ ନହୋଇ ନୂତନ ଷ୍ଟାର୍ଟଅପ୍‌ ଆଦି ବିକଶିତ କରିବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନକୁ ଉପଯୋଗ କରି କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହାଦ୍ୱାରା ସେମାନେ ନିଜ ପାଇଁ ତଥା ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବେ । ଏଥିସହିତ କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଷ୍ଟିରେ ରଖି ମହିଳା-ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗରୁତ୍ୱାରୋପ କରିଛନ୍ତି ।

ଉତ୍ସବରେ ସଭାପତିତ୍ୱ କରି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ବିଶ୍ୱବିଦ୍ୟାଳୟ ବିଭିନ୍ନ ସମୟରେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଫସଲ ପ୍ରଜାତି, ପ୍ରାଣୀ ଓ ପକ୍ଷୀର ପ୍ରଜାତି ବିକଶିତ କରି ଉତ୍ପାଦନ ବୃଦ୍ଧି ସହିତ କୃଷକ ଓ ମହିଳାମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର, ଶିକ୍ଷକ ଓ ଗବେଷକ ବିଦେଶରେ ଶିକ୍ଷାଲାଭ କରୁଛନ୍ତି। ଏହାଦ୍ୱାରା ଜ୍ଞାନର ଆଦାନ ପ୍ରଦାନ ସହିତ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ରାଉଳ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା କହିଛନ୍ତି, କୃଷି କ୍ଷେତ୍ରରେ ପାରମ୍ପରିକ ଜ୍ଞାନକୌଶଳର ରୂପାନ୍ତରଣ ସହ ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହିଛି। ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ମାଣ୍ଡିଆର ଚାରିଗୋଟି ପାରମ୍ପରିକ ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରିଛି ବୋଲି ଲେଙ୍କା କହିଥିଲେ ।

ଉତ୍ସବରେ ସଂପ୍ରସାରଣ ଶିକ୍ଷାର ଡିନ୍‌ ଡ. ପ୍ରସଞ୍ଜିତ୍‌ ମଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଲୋପାମୁଦ୍ରା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ମହାବିଦ୍ୟାଳୟର ୫୦ ହଜାର ବର୍ଗଫୁଟ ବିଶିଷ୍ଟ ତୃତୀୟ ମହଲାର ଶୁଭ ଉଦ୍‌ଘାଟନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ଓ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ନୂତନ ୱେବ୍‌ସାଇଟ୍‌, ଓୟୁଏଟି ସଂଗୀତ, କୃଷକଙ୍କ ପାଇଁ ଆପ୍‌, ଓୟୁଏଟି ଭିଡିଓ, ଭଜିଅନ୍‌ ପୁସ୍ତକ, ଚାଷୀ ସଂସାର ପୁସ୍ତିକା ଆଦିର ଶୁଭ ଉନ୍ମୋଚନ କରାଯାଇଥିଲ। ପ୍ରତିଷ୍ଠା ଦିବସ ଅବସରରେ ଓମ୍ବାଡ୍‌ସି ଦ୍ୱାରା ପ୍ରଦତ୍ତ ଆର୍ଥିକ ଅନୁଦାନରେ ଓମ୍ବାଡ୍‌ସି ଜିଲ୍ଲାର ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଷିକିଆ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+