ଓଏସଏସସି ପ୍ରଶ୍ନପତ୍ର ଲିକ୍ : 55 ଛାତ୍ରଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର: ଓଏସଏସସ୍ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକଲା ଓଏସଏସସି । 55 ଜଣ ଛାତ୍ରଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଓଏସଏସସି । ପ୍ରଶ୍ନପତ୍ର ଲିକ୍ ମାମଲାରେ ଗୁରୁବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ସହିତ 3 ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ଏସ୍ପି ଚିଠି ଲେଖିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହି ରାକେଟ୍ରେ ଗିରଫ ହୋଇଥିବା ସମୁଦାୟ 17 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 3 ଜଣ ସରକାରୀ କର୍ମଚାରୀ ଥିବା ବେଳେ ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମଚାରୀ ଓ ଦଲାଲ୍ । ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ୍ସ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଠାକାର ଆକାଉଣ୍ଟ୍ସ ଜେନେରାଲଙ୍କୁ ଚିଠି ଲେଖାଯାଇଛି ।
ସେହିପରି କନ୍ଧମାଳ ଜିଲ୍ଲାରେ ସରକାରୀ ଶିକ୍ଷକ ଥିବା ଗଞ୍ଜାମ ବେଲଗୁଣ୍ଠା ଥାନା ଅଞ୍ଚଳର ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଜିଲ୍ଲାର ଡିଇଓଙ୍କୁ ଚିଠି କରାଯାଇଛି । ଏହାଛଡ଼ା କନିଷ୍ଠଯନ୍ତ୍ରୀ (ସିଭିଲ) ମେନ୍ ପରୀକ୍ଷାରେ ପାସ କରିବା ପାଇଁ ଏହି ରାକେଟ୍ ସହ ଡିଲ୍ରେ ଜଡ଼ିତ ଥିବା 92 ପରୀକ୍ଷାର୍ଥୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍ପି ସାଗରିକା ନାଥ ଓଏସ୍ଏସ୍ସି ଅଧ୍ୟକ୍ଷଙ୍କୁ ଚିଠି ଲେଖିବା ସହ ସେମାନଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ଓଏସ୍ଏସ୍ସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ ଦଲାଲ ହାତରେ କେମିତି ପ୍ରଶ୍ନପତ୍ର ଲାଗିଲା, ତାର ଉତ୍ତର ଖୋଜି ପାଉନି ପୋଲିସ୍ ।












Click it and Unblock the Notifications