ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀ; 575 ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ 4940 କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି
ଭୁବନେଶ୍ୱର: ଗୋଟିଏ ମଞ୍ଚରେ ଏକାଠି ହେଲେ ପବନ ଶକ୍ତି ଉତ୍ପାଦନ ଏବଂ ୱିଣ୍ଡ୍ ଟର୍ବାଇନ୍ ନିର୍ମାଣକାରୀ । ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ପ୍ରସ୍ତୁତ ହୋଇଛି ଯୋଜନା । ଏ ନେଇ ଗ୍ରୀଡକୋ ପକ୍ଷରୁ ଆଜି ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀରେ ଆଳୋଚନା ହୋଇଛି । ରାଜ୍ୟରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ 25ଟି ସଂସ୍ଥା ଯୋଗ ଦେଇଥିଲେ ।

ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣ ରଖି, ରାଜ୍ୟରେ ପବନ ଶକ୍ତି ଶିଳ୍ପକୁ ବ୍ୟାପକ ସହାୟତା ପ୍ରଦାନ କରିବା ସହ ରାଜ୍ୟରେ ଅକ୍ଷୟ ଶକ୍ତି ପାୱାର୍ ପ୍ଲାଣ୍ଟ୍ ଏବଂ ମ୍ୟାନୁଫ୍ୟାକଚରିଂ ହବ୍ ପ୍ରତିଷ୍ଠା ନେଇ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରାରମ୍ଭରେ, ନିଜର ଉଦଘାଟନୀ ଅଭିଭାଷଣରେ ରାଜ୍ୟ ଅର୍ଥ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଗ୍ରୀଡକୋର ଅଧ୍ୟକ୍ଷ ଶ୍ରୀ ବିଶାଲ କୁମାର ଦେବ ଯୋଗଦେଇ ଓଡ଼ିଶା ଅକ୍ଷୟ ଶକ୍ତି ନୀତି- 2022 ଓ ଶିଳ୍ପ ନୀତି- 2022 ଆଧାରରେ ରାଜ୍ୟରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଉପସ୍ଥିତ ନିବେଶକମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମ୍ମଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ଦୀନେଶ ଦୟାନନ୍ଦ ଜଗଦଲେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିବା ଦିଗରେ ଓଡ଼ିଶା ସରକାରଙ୍କ ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରିଥିଲେ ।
ଏଥିରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଉଇଣ୍ଡ ଏନର୍ଜି (ଏନ୍ଆଇଡବ୍ୟୁଇ)ର ମହାନିର୍ଦ୍ଦେଶକ ଡକ୍ଟର ରାଜେଶ କଟ୍ୟାଲ୍ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ପବନ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଏନ୍ଆଇଡବ୍ୟୁଇ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯିବ । ବୈଠକରେ ଯୋଗ ଦେଇ ଇଡକୋ ତଥା ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆ ରାଜ୍ୟରେ ପବନ ଶକ୍ତି ପ୍ରକଳ୍ପର ଅଭିବୃଦ୍ଧି ତଥା ଏହାର ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମିଳନୀରେ କାଉନସିଲ୍ ଅନ୍ ଏନର୍ଜି ଏନଭାଇରନମେଣ୍ଟ୍ ଆଣ୍ଡ୍ ୱାଟର୍ (ସିଇଇଡବ୍ଲୁ) ପକ୍ଷରୁ ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାରେ ଥିବା ବିପୁଳ ସମ୍ଭାବନା ସମ୍ପର୍କିତ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ସେହିପରି ଗ୍ରୀଡକୋର ବୈଷୟିକ ସହଯୋଗୀ ସଂସ୍ଥା ଆଇ-ଫରେଷ୍ଟ ପକ୍ଷରୁ ମଧ୍ୟ ପବନ ଶକ୍ତି କ୍ଷେତ୍ରର ବିକାଶ ଦିଗରେ ରାଜ୍ୟର ପ୍ରସ୍ତୁତି ଓ ପ୍ରତିବଦ୍ଧତା ସଂପର୍କରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ସମ୍ମିଳନୀରେ ଗ୍ରୀଡକୋ ଓ ଇପିକଲ୍ ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଏବଂ ଶିଳ୍ପ ନୀତି ସଂପର୍କରେ ଅଂଶଗ୍ରହଣକାରୀଙ୍କୁ ବିଶଦ ସୂଚନା ପ୍ରଦାନ କରାଯାଇଥିଲା ।
ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଆଗ୍ରହୀ ନିବେଶକମାନଙ୍କ ନିମନ୍ତେ ଓଡ଼ିଶା ସରକାର ସମସ୍ତ ସୁବିଧା ଯୋଗାଇଦେବା ସହ ବ୍ୟବସାୟ ଅନୁକୁଳ ପରିବେଶ ସୁନିଶ୍ଚିତ କରିବା ଦିଗରେ ସମ୍ପୁର୍ଣ୍ଣ ରୂପେ ପ୍ରତିବଦ୍ଧ ବୋଲି କହିଥିଲେ । ସମ୍ମିଳନୀରେ ବିଭିନ୍ନ ନିବେଶକ ମାନଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀ ଏବଂ ଗ୍ରୀଡକୋର ବରିଷ୍ଠ ଅଧିକାରୀ ମାନେ ପୁଞ୍ଜିନିବେଶ ସଂପର୍କିତ ଏକ ବିଶେଷ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ନିବେଶକମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପବନ ଶକ୍ତି ବିକାଶ କ୍ଷେତ୍ରରେ ମୋଟ 575 ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ 4940 କୋଟି ଟଙ୍କା ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାଲକୋ ସିଏମଡି, ଆଇଡବ୍ଲୁଟିଏମଏର ମହାସଚିବ, ଡବ୍ଲୁଆଇପିପିଏ ର ସଚିବ, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତଥା ଅନ୍ୟ ନିର୍ଦ୍ଦେଶକଗଣ, ଓପିଟିସିଏଲ୍ ର ସିଏମଡି, ଓଏଚପିସିର ପରିଚାଳନା ନିର୍ଦ୍ଦେଶକ, ଆଇ-ଫରେଷ୍ଟ ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଯୋଗଦେଇ ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ଦିଗରେ ନିଜ ନିଜ ସୁଚିନ୍ତିତ ମତ ଓ ମନ୍ତବ୍ୟ ରଖିଥିଲେ । ସେହିପରି ଏହି ସମ୍ମିଳନୀରେ ଏନଟିପିସି, ଓଟିପିସି, ଏନଏଚପିସି, ଏସଜେଭିଏନ୍ଏଲ୍, ନାଲକୋ ଏବଂ ଏମସିଏଲ୍ ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିନିଧି ତଥା ଅନ୍ୟ ଘରୋଇ ସଂସ୍ଥାର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।












Click it and Unblock the Notifications