ଡ୍ରାଇଭରଙ୍କ କଥା ଶୁଣିଲେ ସରକାର, ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ
ଭୁବନେଶ୍ୱର: ଗତ କିଛି ଦିନ ପୂର୍ବରୁ ରାଜରାସ୍ତାକୁ ଓହ୍ଲାଇ ଦାବି କରିଥିଲେ ଡ୍ରାଇଭର ସଂଘ । ପ୍ରତିଶ୍ରୁତି ପୂରଣ କରିବାକୁ କଥା ଦେଇ କଥା ରଖିଛନ୍ତି ସରକାର । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗଠନ ହୋଇଛି ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଏହି ବୋର୍ଡ ।

ଏହି ବୋର୍ଡରେ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡା ବିଧାୟିକା ସୁଶ୍ରୀ ଦୀପାଳି ଦାସଙ୍କୁ ସଦସ୍ୟଭାବେ ମନୋନୀତ କରାଯାଇଛି । ଏହା ସହିତ ଏହି ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟ ଭାବେ ରହିବେ ।
ଏହା ପୂର୍ବରୁ 12 ଜୁନ୍ 2023 ରେ ମୁଖ୍ୟମନ୍ତ୍ରୀ ଏହି ବୋର୍ଡ ଗଠନ ନିମନ୍ତେ ଘୋଷଣା କରିଥିଲେ । ଏହି ବୋର୍ଡ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ଏବଂ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବେ । ଏହି କଲ୍ୟାଣ ବୋର୍ଡ ଦ୍ୱାରା ରାଜ୍ୟର ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ୱ ଡ୍ରାଇଭର ଓ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଉପକୃତ ହେବେ ।












Click it and Unblock the Notifications