ଆଜିଠୁ ଆରମ୍ଭ ଓଡ଼ିଶା ସ୍କିଲ୍ କନକ୍ଲେଭ୍ 2023
ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେବ ଓଡ଼ିଶା ସ୍କିଲ୍ କନକ୍ଲେଭ୍-2023 । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ତିନି ଦିନ ଧରି ଆୟୋଜିତ ହେବ ବିଶ୍ୱସ୍ତରୀୟ ଦକ୍ଷତା ଉତ୍ସବ । ଓଡ଼ିଶା ସ୍କିଲ୍ କନକ୍ଲେଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଭାଗନେବେ ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ 3 ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ।

ମେକ୍ ଇନ୍ ଓଡ଼ିଶାର ପାର୍ଟ-2 ହେଉଛି ଏହି ବିଶ୍ୱସ୍ତରୀୟ ଦକ୍ଷତା ଉତ୍ସବ । ଏଥିରେ ବି ସାମିଲ ହେବେ ଏସଏଚଜି ମହିଳା । ବିଶ୍ୱସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଉଛି । ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା 8 ରୁ 10 ଜଣ ମହିଳା ଡ୍ରାଇଭର୍ସଙ୍କୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ ।
ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ 6 ଟାରୁ 9.30 ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ । ଶେଷଦିନ ଡ୍ରୋନ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଓ ବିଭିନ୍ନ ଦକ୍ଷତା ବିକାଶ ପରିଷଦର କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହାସହିତ ପ୍ରତିଦିନ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।
ଏହି କନକ୍ଲେଭ ମାଧ୍ୟମରେ ସରକାର ଶିଳ୍ପ, ଶିକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧି ଏବଂ ସ୍କିଲ୍ ଆମ୍ବାସାଡରଙ୍କୁ ଜଡିତ ହେବାକୁ ପ୍ରଯତ୍ନ କରୁଛନ୍ତି । ସୁଚିନ୍ତିତ, ସହମତି ଭିତ୍ତିରେ କାର୍ଯ୍ୟ କରିବା ସହିତ ଏକ ନୂତନ ବିଶ୍ୱ ଗଠନ ଦିଗରେ ଓଡିଶାର ବିକାଶ ଏବଂ ଭବିଷ୍ୟତର କାର୍ଯ୍ୟ ପନ୍ଥା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବାର ଏହା ହେଉଛି ଉପଯୁକ୍ତ ପ୍ଲାଟଫର୍ମ । ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ .।












Click it and Unblock the Notifications