ଖସାପଡ଼ା ଲାଗି ନୀତି: ଆଜି 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ, ଜାଣି ରଖନ୍ତୁ ସମୟ
Shree mandir: ପୁରୀ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଆଜି (ସୋମବାର) 4 ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ । ଶ୍ରୀଜୀଉମାନଙ୍କର ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ ।

ଚୈତ୍ର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ହୁଏ । ଏହା ଏକ ଗୁପ୍ତ ନୀତି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା 6 ଟା ରୁ ରାତି 10 ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଏହି ସୂଚନା ଦିଆଯାଇଛି ।
କଣ ଏହି ଖସାପଡ଼ା ଲାଗି ?
ଏହି ନୀତିରେ ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ମହପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି ।
ବର୍ଷକୁ ଦୁଇ ରୁ ତିନି ଥର ଏହି ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଦିଅଁମାନେ ଦୋଳ ପୂର୍ଣ୍ଣିମାରେ ହୋଲି ଖେଳିବା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର କେତେକ ଅଂଶ କ୍ଷତବିକ୍ଷତ ହୋଇଯାଇଥାଏ । ତେଣୁ ଏଥିପାଇଁ ମଧ୍ୟ ଖସାପଡା ନୀତି ହୋଲି ପରେ ଅନୁଷ୍ଠିତ ହୋଇଥାଏ ।
ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ ଓ ବେଶ କରାଯିବ । ପରେ ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ ସିଂହାର ବେଶ, ବଡ ସିଂହାର ଭୋଗ, ରାତ୍ର ପହୁଡ ହେବ ।












Click it and Unblock the Notifications