ଦୁଇ ଦିନ ବ୍ରେକ୍ ପରେ ଆଜି ଠୁ ପୁଣି ବର୍ଷିବ, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Rain In Odisha: ସେପ୍ଚେମ୍ବର ଆରମ୍ଭରୁ ଲାଗି ରହିଥିବା ବର୍ଷାରେ ଦୁଇ ଦିନ ବ୍ରେକ୍ ପରେ ଆଜି ଠାରୁ ପୁଣି ବଢିବ ବର୍ଷା । ଉତ୍ତର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ସୋମବାର ଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ 19 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଏହା ପରେ କାଲି ଠାରୁ ବର୍ଷାର ପରିମାଣ ବଢିବ । ଆସନ୍ତାକାଲି ପ୍ରବଳ ବର୍ଷା ନେଇ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 13 ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 14 ତାରିଖ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଲାଗି ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି ।
ଏହା ପରେ 19 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ଏହା ପ୍ରଭାବରେ ପୁଣି ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୁଇଟି ଲଘୁଚାପ ପ୍ରଭାବରେ 11 ରୁ 21 ତାରିଖ ମଧ୍ୟରେ ସ୍ୱାଭାବିକ ଠାରୁ ଦୁଇଗୁଣ ବର୍ଷା ନେଇ ଆକଳନ କରାଯାଇଛି ।
ଚଳିତ ବର୍ଷ ରାଜ୍ୟରେ ଏଯାଏଁ 890 ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାବାବିକ ବୃଷ୍ଟିପାତ ତୁଳନାରେ 12 ପ୍ରତିଶତ କମ୍ ରହିଛି । 9 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ 21 ଟି ଜିଲ୍ଲାରେ ସ୍ବଭାବିକ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟରେ ରାଜ୍ୟରେ ବର୍ଷା ପରିମାଣ କମିଥିଲା । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ବର୍ଷା ରାଜ୍ୟରେ ନିଅଣ୍ଟିଆ ସାମାନ୍ୟ ଭରଣା ହୋଇଛି ।












Click it and Unblock the Notifications