ଦଲାଲ ମୁକ୍ତ ହେଉ ସରକାରୀ ଡାକ୍ତରଖାନା, ନିୟମ ପ୍ରଣୟନ କରନ୍ତୁ ରାଜ୍ୟ ସରକାର - ହାଇକୋର୍ଟ
କଟକ: ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ସାଧାଣ ଲୋକଙ୍କୁ ଉତ୍ତମ ସେବା ଦେବା ନେଇ ପଦକ୍ଷେପ ନେଉଥିଲେ ମଧ୍ୟ ଦଲାଲଙ୍କ ପ୍ରାଦୁର୍ଭାବ କମୁନି । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ନିଜ ଜାଲରେ ଫସାଇବାକୁ ସକ୍ରିୟ ଅଛନ୍ତି ଘରୋଇ ହସ୍ପିଟାଲର ଏଜେଣ୍ଟ । ଏହା ଉପରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସରକାରୀ ହସ୍ପିଟାଲ ଦଲାଲ ମୁକ୍ତ ହେବା ଆବଶ୍ୟକ । ଏ ଦିଗରେ ସରକାର ନିୟମ ପ୍ରଣୟନ କରନ୍ତୁ । ଏ ଦିଗରେ ସରକାର କଣ ପଦକ୍ଷେପ ନେଉଛନ୍ତି ସେ ବାବଦରେ ଏକ ସତ୍ୟପାଠ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶନିବାର ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ।
ଡାକ୍ତରଖାନା ସେବାର ଉନ୍ନତି ପାଇଁ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରଦାନ କରିବା ଏବଂ ଗରିବ ରୋଗୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଘରୋଇ ଡାକ୍ତରଖାନାକୁ ଯିବା ପାଇଁ ଚାପ ପକାଇବାକୁ କିମ୍ବା ପ୍ରଭାବିତ କରିବାକୁ ନିୟୋଜିତ ହେଉଥିବା ଅବାଞ୍ଛିତ ବ୍ୟକ୍ତିଙ୍କ କର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ତାରିଖ ଜୁନ୍ 27 ସୁଦ୍ଧା ସତ୍ୟପାଠ ଦାଖଲ କରାଯିବା ଉଚିତ୍ ।
ସମାଜସେବୀ ତଥା ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ଉଦବେଗ ପ୍ରକାଶ କରିଛନ୍ତି ହୋଇକୋର୍ଟ । ହସ୍ପିଟାଲ କ୍ୟାମ୍ପସରେ ଦଲାଲମାନେ ସକ୍ରିୟ ରହି ରୋଗୀ ପିଛା କମିଶନ ନେବା ପାଇଁ ଘରୋଇ ନର୍ସିଂହୋମକୁ ନେଉଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି ।












Click it and Unblock the Notifications