ଆଗକୁ ଅଛି ବାତ୍ୟା ଆଶଙ୍କା ! ଆଗୁଆ ପ୍ରସ୍ତୁତି କଲେଣି ରାଜ୍ୟ ସରକାର
ଭୁବନେଶ୍ୱର: ଆଗକୁ ଅଛି କି ବାତ୍ୟା ଆଶଙ୍କା ! ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ମଧ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର, ଏସଆରସି, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଗ୍ନିଶମ ବିଭାଗର ଡିଜି, 12ଟି ବିଭାଗର ସଚିବ ଉପସ୍ଥିତ ଥିଲେ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅକ୍ଟୋବର 10 ତାରିଖ ବେଳକୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ସାଧାରଣତଃ ମୌସୁମୀ ପ୍ରତ୍ୟାହାରର 45 ଦିନ ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ଥାଏ । ଏଥିପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ସାଧାରଣତଃ ଅକ୍ଟୋବର ମାସରେ ଓଡ଼ିଶା କୁ ବାତ୍ୟା ଭୟ ରହିଥାଏ । ତେଣୁ କୌଣସି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ରହିଥାନ୍ତି । ପ୍ରଭାବୀ ବାତ୍ୟା ପରିଚାଳନା ପାଇଁ ଓଡ଼ିଶା ବେଶ୍ ପରିଚିତ । ଅତୀତରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କ୍ଷୟକ୍ଷତିକୁ ସରକାର ଆଗୁଆ ଅନେକ ପଦକ୍ଷେପ ନେଇ କମ୍ କରିବାରେ ସଫଳ ହୋଇଛନ୍ତି । ସେହି କ୍ରମରେ ରାଜ୍ୟ ସରକାର ଏବେ ଠୁ ସତର୍କ ରହିଛନ୍ତି ।












Click it and Unblock the Notifications