ପୋଲିସ୍ ଡିଜି ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି, ନୂଆ ବର୍ଷରେ ଓଡ଼ିଶାକୁ ମିଳିବ ନୂଆ ପୋଲିସ୍ ମୁଖ୍ୟ
ଭୁବନେଶ୍ୱର: ଅବସର ନେବେ ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । ଏ ନେଇ ତାଙ୍କୁ ଅନୁମତି ମିଳିଛି । ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଦେଇଛନ୍ତି ଅନୁମତି । ଡିସେମ୍ବର 31 ରେ ଅବସର ନେବାକୁ ସରକାରଙ୍କ ଅନୁମତି ମିଳିଛ । ସୁନୀଲ ବଂଶଲଙ୍କ ଅବସର ଅନୁମତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପା୍ଇଛି ।

1987 ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ସୁନୀଲ ବଂଶଲ । ସେ ମୟୂରଭଞ୍ଜ ଏସ୍ପି ଥିଲେ । ତେବେ 27 ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ । ତା' ପରେ ଓଡିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଥିଲେ ।
ଏହାପରେ ରାଜ୍ୟକୁ ନୂଆ ଡିଜିପି ଦାୟିତ୍ୱ ମିଳିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଓଡ଼ିଶାକୁ ନୂଆବର୍ଷରେ ନୂଆ ପୋଲିସ ମୁଖ୍ୟ ମିଳିବ । ଓଡ଼ିଶା ସରକାର ଏଥିପାଇଁ 5 ଜଣ ବରିଷ୍ଠ ଆଇପିଏସଙ୍କ ନାଁ UPSCକୁ ସୁପାରିସ କରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ 5 ଆଇପିଏସ୍ ହେଲେ ବି. ରାଧିକା, ୱାଇ.ବି. ଖୁରାନିଆ, ଏ.ଏମ୍. ପ୍ରସାଦ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀ । ତେବେ ରେସରେ ବି. ରାଧିକାଙ୍କ ନାଁ ସବୁଠୁ ଆଗରେ ରହିଛି ।
ଯଦି ବି. ରାଧିକା ନୂଆ ପୋଲିସ ଡିଜି ହୁଅନ୍ତି, ତେବେ ଓଡ଼ିଶା ଦେଖିବ ପ୍ରଥମ ମହିଳା ପୋଲିସ ଡିଜି । 1989 ବ୍ୟାଚର ଆଇପିଏସ୍ ଅଫିସର ବି. ରାଧିକା ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । 1990 ବ୍ୟାଚର ଆଇପିଏସ୍ ୱାଇ. ବି. ଖୁରାନିଆ ଏବେ ଇଷ୍ଟର୍ଣ୍ଣ କମାଣ୍ଡ BSFର ସ୍ପେଶାଲ ଡିଜି ଅଛନ୍ତି । ସେହିପରି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଅରୁଣ ଷଡ଼ଙ୍ଗୀ, ହୋମଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ଜେଲ୍ ଡିଜି ଥିବା ଏ.ଏମ୍. ପ୍ରସାଦ ମଧ୍ୟ ଓଡ଼ିଶା ପୋଲିସର ମଙ୍ଗୁଆଳ ହୋଇପାରନ୍ତି ।












Click it and Unblock the Notifications