ଘର ସଜାଡ଼ିବ କଂଗ୍ରେସ, ଉଠିବ ନିଲମ୍ବନ... ଘର ବାହୁଡ଼ିବେ ପୁରୁଣା ନେତା
ଭୁବନେଶ୍ୱର: 2024 ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ଘର ସଜାଡ଼ିବ କଂଗ୍ରେସ । ଅନେକ ନେତାଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ । ଏହା ପରେ ପୁରୁଣା ନେତାଙ୍କୁ ଘର ବାହୁଡ଼ା କରାଇ ଦଳ ପୁଣି ମଜବୁତ ହେବାକୁ ବଳ ଗୋଟାଇବ ।
କଂଗ୍ରେସର ବରିଷ୍ଠ ନେତା ଗମାଙ୍ଗ ପରିବାର ମଧ୍ୟ ଦଳକୁ ଫେରିବେ । ଆସନ୍ତା 7 ତାରିଖରେ କଂଗ୍ରେସରେ ସାମିଲ ହେବେ ହେମା ଗମାଙ୍ଗ । ଏଆଇସିସି ତରଫରୁ ଗ୍ରୀନ୍ ସିଗନାଲ ମିଳିବା ସହ ପିସିସି ସଭାପତିଙ୍କ ସହ ଆଲୋଚନା ସରିଥିବା କହିଛନ୍ତି । ସେହିପରି ସେହିପରି ଶିଶିର ଗମାଙ୍ଗ ମଧ୍ୟ ଖୁବ ଶୀଘ୍ର କଂଗ୍ରେସ ରେ ଯୋଗ ଦେବେ ।

ଏପରିକି ଖୁବ ଶୀଘ୍ର ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବ । ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଧାୟକ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । ଆସନ୍ତା 6 ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ନୂତନ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଆଗକୁ ଦଳ କିପରି ରଣନୀତି ନେଇ ନିର୍ବାଚନ ଲଢ଼ିବ ସେ ନେଇ 6-7 ତାରିଖରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନ ହେବା ବୋଲି କହିଛନ୍ତି । ନୂଆ ପ୍ରଭାରୀଙ୍କ ସ୍ୱାଗତ ପାଇଁ କଂଗ୍ରେସ ସଜବାଜ ହେଉଥିବା ବେଳେ ଆଗକୁ ନିର୍ବାଚନ ଥିବାରୁ ଏକଜୁଟ ହୋଇ ଲଢ଼ିବୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।
ନୂଆ ପ୍ରଭାରୀ ଆସିଲା ପରେ ପର୍ଯ୍ୟାୟକ୍ରମେ ବୈଠକ ବସିବ ଏବଂ 2024 ପାଇଁ ଏକାଠି ହୋଇ ରଣନୀତି ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ । ପିସିସିର ପୂର୍ବତନ ଅନୂସୂଚିତ ଜାତି ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଧ୍ୟ ଦଳକୁ ଫେରିବେ । ଦିଲ୍ଲୀରେ ଏନେଇ ସମସ୍ତ ଔପଚାରିକତା ଶେଷ ହୋଇଛି ।
ସୂଚନାଥାଉକି, ନିକଟରେ ଡ. ଅଜୟ କୁମାରଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ଦଳ । ଏହା ପରେ ନୂଆ ପ୍ରଭାରୀଙ୍କ କାନ୍ଧରେ ରହିଛି ଦଳକୁ ମଜବୁତ କରିବାର ଭାର । ଦୀର୍ଘ ବର୍ଷ ଧରି ରାଜ୍ୟରେ କଂଗ୍ରେସ ଶାସନ ଗାଦିରେ ନ ରହିବା ସହ ଧିରେ ଧିରେ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି । ଅସଜଡ଼ା ଓଡ଼ିଶା କଂଗ୍ରେସକୁ ସେ ସଜାଡ଼ିବା ପାଇଁ ପ୍ରୟାସ କରିବା ସହ ଦଳକୁ ଆଗାମୀ ନିର୍ବାଚନରେ ସଫଳ କରିବାକୁ ଯୋଜନା କରୁଛନ୍ତି ।












Click it and Unblock the Notifications