ପୁଣି ନମ୍ବର ୧ ନବୀନ, ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
Naveen Patnaik: ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ବାଜି ମାରିଛନ୍ତି ନବୀନ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ତାଲିକାରେ ଶୀର୍ଷରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଗରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଇଣ୍ଡିଆ ଟୁଡେ ମୁଡ୍ସ ଅଫ୍ ଦ ନେସନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି ।

ସର୍ଭେ ରିପୋର୍ଟରେ ନବୀନ ପଟ୍ଟନାୟକଙ୍କୁ ଓଡିଶାର 52.7 ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଏହି ସର୍ଭେରେ ଓଡିଶାର 3 ହଜାର 760 ଜଣ ଲୋକଙ୍କ ମତାମତ ନିଆଯାଇଥିଲା । ତେବେ 2023 ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମିଛି । 2023 ରେ ନବୀନଙ୍କୁ 61.3 ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ 2024 ରେ 52.7 ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି ।
ନନୀନଙ୍କ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଉତ୍ତରପ୍ରଦେଶର 51.3 ପ୍ରତିଶତ ଲୋକ ଯୋଗୀଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି । ସେହିପରି 48.6 ପ୍ରତିଶତ ଲୋକଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ହୋଇ ତୃତୀୟରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହା ପରେ ଚତୁର୍ଥରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପିନ୍ଦ୍ର ଭାଇ ପଟେଲ ଅଛନ୍ତି। ସେହିପରି ପଞ୍ଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଷଷ୍ଠରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରହିଛନ୍ତି । ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଦଶମ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଜାତୀୟ ଗଣମାଧ୍ୟମ ସଂସ୍ଥାର ଏହି ସର୍ଭେରେ ନବୀନଙ୍କ ଲୋକପ୍ରିୟତା ଦେଖି ବିଜେଡିର ବଳ ବଢ଼ିଛି ।












Click it and Unblock the Notifications