ଆଉ ପାଦେ ଆଗେଇଲା ସ୍ୱାସ୍ଥ୍ୟ ସେବା, BSKY ନବୀନ କାର୍ଡ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧପରିକର ରାଜ୍ୟ ସରକାର । ଏ ନେଇ ନବୀନ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି । ଏଥି ମଧ୍ୟରେ ଏହି ସେବାର ଲାଭ ଅଧିକ ଲୋକଙ୍କୁ ଦେବା ଲାଗି BSKY ନବୀନ କାର୍ଡ ଆରମ୍ଭ BSKY ନବୀନ କାର୍ଡ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଏହି କ୍ରମରେ BSKY ନବୀନ କାର୍ଡ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବିଏସକେୱାଇର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ ଏହା ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେୱାଇ ନବୀନ କାର୍ଡ ପାଇବେ । ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ ।
ବୁଧବାରଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ' ପହିଲାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ । ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ 4 କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି । ଆପଣମାନଙ୍କ ଖୁସି ମୋ ଖୁସି । ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଓ କରି ଚାଲିବି ।
ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର 1 କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର 80 ଭାଗ ହେବେ, cashless ଚିକିତ୍ସା ସୁବିଧା ପାଉଛନ୍ତି । ମହିଳାମାନଙ୍କ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି । ଏହି ଯୋଜନାରେ ମାସକୁ 1 ଲକ୍ଷ 30 ହଜାର ହିତାଧିକାରୀ 816 ଟି ପଞ୍ଜିକୃତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ 270 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ ।












Click it and Unblock the Notifications