ଓଡ଼ିଶା ଚତୁର୍ଥ ସ୍ୱଚ୍ଛ ରାଜ୍ୟ, ସ୍ୱଚ୍ଛ ସର୍ବେକ୍ଷଣରେ ଲମ୍ବ ଡିଆଁ ମାରିଛି ଓଡ଼ିଶା
ଭୁବନେଶ୍ୱର: ଓଡ଼ିଶା ଦେଶର ଚତୁର୍ଥ ସ୍ୱଚ୍ଛ ରାଜ୍ୟ ପାଲଟିଛି । ଏହି ସ୍ୱଚ୍ଛତା ସର୍ବେକ୍ଷଣରେ ଲମ୍ବ ଡିଆଁ ମାରି ଓଡିଶା ଚତୁର୍ଥ ସ୍ଥାନରେ ରହିଛି । ଗତଥର ଓଡ଼ିଶା 9ମ ସ୍ଥାନରେ ଥିବା ବେଳେ ଏଥର ଓଡ଼ିଶା 5 ଟି ସ୍ଥାନ ଉପରକୁ ଉଠି 4ର୍ଥ ସ୍ଥାନରେ ପହଞ୍ଚିଛି । ଏଥି ସହ ମହାରାଷ୍ଚ୍ର ଏଥିରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ମଧ୍ୟ ପ୍ରଦେଶ ଦ୍ୱିତୀୟ, ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି । ପ୍ରଥମ ତିନିଟି ସ୍ଥାନରେ ଥିବା ରାଜ୍ୟକୁ ପୁରସ୍କୃତ କରାଯାଇଥିବାରୁ ଏହି ବର୍ଗରେ ଓଡ଼ିଶାକୁ କୌଣସି ପୁରସ୍କାର ମିଳିନି ।

ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-2023 ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି । ଚଳିତବର୍ଷ ପ୍ରଥମ ଥର ଲାଗି 2ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ 934.39 ସ୍କୋର ପାଇଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ସପ୍ତମ ଥର ପାଇଁ ବାଜିମାତ୍ କରିଥିବାବେଳେ ଗୁଜରାଟର ସୁରଟ ପ୍ରଥମ ଥର ଲାଗି ଏହି ପୁରସ୍କାର ହାସଲ କରିଛି । ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଯୋଗଦେଇ ବିଜେତା ରାଜ୍ୟ ଓ ସହରର ପ୍ରତିନିଧିମାନଙ୍କୁ ପୁରସ୍କୃତ କରିଛନ୍ତି । ଅପରପକ୍ଷେ ସ୍ବଚ୍ଛତା କ୍ଷେତ୍ରରେ ଷ୍ଟେଟ୍ ର଼୍ୟାଙ୍କିଙ୍ଗ୍ରେ ଓଡ଼ିଶାର ସ୍ଥାନ 4ର୍ଥରେ ରହିଛି ।
ଓଡ଼ିଶାକୁ ଏଥର ମାତ୍ର ଦୁଇଟି ସମ୍ମାନ ମିଳିଛି । ରାଜ୍ୟର 114 ଟି ପୌରସଂସ୍ଥା ଭାଗ ନେଇଥିବାବେଳେ 62 ଟି ଓଡିଏଫ୍, 18ଟି ଓଡିଏଫ୍+, 33 ଟି ଓଡିଏଫ୍++, ଗୋଟିଏ ସହର ୱାଟର+ ପାଇଛି । ବର୍ଜ୍ୟ ମୁକ୍ତ ସହର (ଜିଏଫ୍ସି) ତାଲିକାରେ ଓଡ଼ିଶାକୁ ଭଲ ମାର୍କ ମିଳିନି । 14ଟି ପୌରସଂସ୍ଥାକୁ ଗୋଟିଏ ଷ୍ଟାର ମିଳିଥିବାବେଳେ 2 ଟିକୁ 3 ଟି ଷ୍ଟାର ମିଳିଛି । ଓଡ଼ିଶାର 114 ଟି ପୌରସଂସ୍ଥା ଏହି ସର୍ଭେରେ ଭାଗ ନେଇଥିବାବେଳେ ଘରକୁ ଘର ବର୍ଜ୍ୟ ସଂଗ୍ରହରେ 93.17% ମାର୍କ, ଘରୁ ବର୍ଜ୍ୟ ପୃଥକୀକରଣରେ 73.59% ମାର୍କ, ବିଶୋଧନ ପାଇଁ 66.17% ମାର୍କ ମିଳିଛି । ଏହିପରି ହାରାହାରି 77.64% ମାର୍କ ମିଳିଛି ।
ସେହିପରି ଚଳିତବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମଧ୍ୟ ଭଲ ପ୍ରଦର୍ଶନ କରିଛି । ଗତଥର ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ 80 ତମ ର଼୍ୟାଙ୍କ୍ ମିଳିଥିବାବେଳେ ଏଥର 34ତମ ର଼୍ୟାଙ୍କ୍ ମିଳିଛି । ଏଥିସହ ଓ୍ବାଟର ପ୍ଲସ୍ ଏବଂ ଗାର୍ବେଜ୍ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ଥ୍ରୀ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି । ଏଥିପାଇଁ ଭୁବନେଶ୍ୱରକୁ 'କ୍ଲିନ୍ ସିଟି ଇନ୍ ଓଡ଼ିଶା' ପୁରସ୍କାର ମିଳିଛି ।












Click it and Unblock the Notifications