ବିଧାନସଭା ଶୀତକାଳୀନ ଅଧିବେଶନ: ୪ ଦିନରେ ସରିଲା ଗୃହକାର୍ଯ୍ୟ, ଆହୁରି ବାକି ଅଛି 26 ଦିନ
ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ମାତ୍ର ୪ ଦିନରେ ସରିଗଲା । ଆହୁରି ୨୬ଟି କାର୍ଯ୍ୟଦିବସ ବାକି ଥିବା ବେଳେ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଶାସକ ଦଳର ପ୍ରସ୍ତାବ ଆଧାରରେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।
ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଶୀତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ଥିଲା । କିନ୍ତୁ, ଏହାର ଯଥେଷ୍ଟ ପୂର୍ବରୁ ବିଧାନସଭାକୁ ମୁଲତବୀ ଘୋଷଣା କରି ଦିଆଯାଇଛି ।

ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଯାହାକୁ କି ସମର୍ଥନ ଜଣାଇଥିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଓ ଭୁପିନ୍ଦର ସିଂ । ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।
ସୂଚନା ଅନୁସାରେ, ଗୃହରେ ବିଶେଷ କିଛି କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ୨୬ ଟି କାର୍ଯ୍ୟଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା । ବିରୋଧୀଙ୍କ ସହ ବିଚାରବିମର୍ଶ ନକରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି ।
ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା । ଯାହାପରେ ବିଧାନସଭାକୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦିଆଯାଇଛି ।
ଚଳିତ ଅଧିବେଶନରେ ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହେବା ପରେ ଦିବଙ୍ଗତ ସଦସ୍ୟଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଗୃହର ଦ୍ୱିତୀୟ ଦିନରେ ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ କରି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ । ଫଳରେ ଦ୍ୱିତୀୟ ଦିନ କୌଣସି ଗୃହ କାର୍ଯ୍ୟ ହୋଇପାରିନଥିଲା । ସେହିପରି ତୃତୀୟ ଦିନରେ ଗୃହ କାର୍ଯ୍ୟ ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ରହିଥିଲା ଓ ଦ୍ୱିତୀୟାର୍ଦ୍ଧ ଗୃହ ସ୍ୱାଭାବିକ ହୋଇଥିଲା । ଗୃହରେ ବିରୋଧୀ ସଦସ୍ୟମାନେ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ନିଜର ମତ ଉପସ୍ଥାପନ କରିବା ସହ ତୁରନ୍ତ କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲେ । ଓଡ଼ିଶା ଭୂସଂସ୍କାର ସଂଶୋଧନ ବିଲ୍ ଉପରେ ଆଲୋଚନା ହୋଇଥିଲା ।
ଆଜି ଚତୁର୍ଥ ଦିନରେ ଗୃହରେ ପୂର୍ବାହ୍ନରେ ପ୍ରଶ୍ନକାଳ ସ୍ୱାଭାବିକ ଥିଲା । ବିଜେପି ଦେଇଥିବା ମୁଲତବୀ ପ୍ରସ୍ତାବ 'ସରକାର ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟରେ ଆଦିବାସୀମାନେ ସର୍ବହରା ହୋଇଯିବେ' ଶୀର୍ଷକ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ୍ ନଭେମ୍ବର ୧୪ତାରିଖରେ ନେଇଥିବା ନିଷ୍ପତ୍ତିକୁ ସଂଶୋଧନ କରାଯିବା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।












Click it and Unblock the Notifications