ବିଧାନସଭା ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବୟକଟ୍
ଭୁବନେଶ୍ୱର: ରାଜ୍ୟ ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିଛି କଂଗ୍ରେସ । ଆସନ୍ତା 21 ତାରିଖରେ ହେବ ବାଚସ୍ପତି ନିର୍ବାଚନ । କିନ୍ତୁ ଏଥିରେ କୌଣସି କଂଗ୍ରେସ ବିଧାୟକ ସାମିଲ ହେବେ ନାହିଁ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ସେପ୍ଟେମ୍ବର 21 ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଏହା ପର ଦିନ ସେପ୍ଟେମ୍ବର 22 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ବାଚସ୍ପତି ନିର୍ବାଚନ ପାଇଁ ସେପ୍ଟେମ୍ବର 18 ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ ।
ତେବେ ଆସନ୍ତା ସେପ୍ଟେମ୍ବର 20 ତାରିଖରେ ପଶ୍ଚିମ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ପର୍ବ 'ନୂଆଁଖାଇ' ପାଳନ ହେବ । ସେହିପରି ସେପ୍ଟେମ୍ବର 21 ତାରିଖରେ 'ନୂଆଖାଇ ଭେଟଘାଟ' ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ବିବୃତିରେ କହିଛନ୍ତି । ସମଗ୍ର ପଶ୍ଚିମ ଓଡିଶାରେ ଲୋକମାନେ ଏହି ପର୍ବକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରନ୍ତି ଏବଂ ମା' ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ କରିବା ପରେ ପ୍ରସାଦ ସେବନ କରନ୍ତି ବୋଲି ସେ କହିଛନ୍ତି ।
ଏହି ଲୋକପ୍ରିୟ ପର୍ବର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାଧାରଣତଃ ପ୍ରତିବର୍ଷ ଦୁଇ ଦିନ ଛୁଟି ଘୋଷଣା କରିଥାନ୍ତି । ତେବେ ଚଳିତ ବର୍ଷ କେବଳ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି । ଫଳରେ କଂଗ୍ରେସ ବିଧାୟକମାନେ ନିଜ ନିଜ ସ୍ଥାନରେ ଉପସ୍ଥିତ ରହି ନୂଆଁଖାଇ ଉତ୍ସବ ପାଳନ କରିବେ ଏବଂ ବାଚସ୍ପତି ନିର୍ବାଚନରେ ଭାଗ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications