ଆସନ୍ତା କାଲି ବିଧାନସଭା ଉପ ବାଚସ୍ପତି ନିର୍ବାଚନ, ରେସରେ ଅଛି ଏହି ନେତାଙ୍କ ନାଁ
ଭୁବନେଶ୍ୱର: ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ । ସକାଳ 9.30 ରେ ହେବ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ଆଜି ହେବ ନାମାଙ୍କନ ଦାଖଲ । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଥିଲେ ବିଧାନସଭା ସଚିବ ।
ଉପ ବାଚସ୍ପତି ପଦବୀରୁ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି । କିଛି ଦିନ ତଳେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । 2019 ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଦଳୀୟ ସଙ୍ଗଠନକୁ ମଜବୁତ୍ କରିବାକୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ କହିଥିଲେ ।

ଉପବାଚସ୍ପତି ପଦରେ ବିଜେଡି କାହାକୁ ବସାଇବ ? ଅଭିଜ୍ଞତାକୁ ଅଗ୍ରାଧିକାର ମିଳିବ ନା ଫୋକସ୍ ରେ ରହିବ ପଶ୍ଚିମ ଓଡ଼ିଶା । ସାମ୍ବିଧାନିକ ପଦବୀ କୁ ନେଇ ଅନେକ ଚର୍ଚ୍ଚା ରାଜନୈତିକ ମହଲରେ ଲାଗି ରହିଛି । ଏହାରି ଭିତରେ ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ।
ତେବେ ବିଜେଡ଼ି ଦଳ କାହାକୁ ଉପ ବାଚସ୍ପତି ପାଇଁ ଚୟନ କରିବ ସେ ନେଇ ଲାଗି ରହିଛି ଚର୍ଚ୍ଚା । ଆଗରୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ନଜରରେ ରଖି ଉପ ବାଚସ୍ପତି ପାଇଁ ପ୍ରାର୍ଥୀ ଚୟନ କରିବ ବିଜେଡ଼ି । ଏପରିକି ପଶ୍ଚିମ ଓଡ଼ିଶାରୁ କାହାକୁ ଏହି ଆସନରେ ଦଳ ବସାଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ ପଶ୍ଚିମ ଓଡ଼ିଶାରେ କୋଶଳ ରାଜ୍ୟ ଗଠନ ଟେନସନକୁ ପ୍ରଶମିତ କରିବା ପାଇଁ ପଶ୍ଚିମ ଓଡ଼ିଶାର ଜଣେ ବିଧାୟକଙ୍କୁ ଉପ ବାଚସ୍ପତି ପଦ ମିଳିପାରେ । ସେପଟେ ଆଦିବାସୀ ଜମି କିଣାବିକା ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରି ଅଡ଼ୁଆରେ ଥିବା ସରକାର ଟ୍ରାଇବାଲ କାର୍ଡ ମଧ୍ୟ ଖେଳି ପାରନ୍ତି ।
ତେବେ ଏହି ପଦ ପାଇଁ ଅତାବିରା ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କ ନାଁ ଦୌଡରେ ଅଛି । ସେହିପରି ଅଭିଜ୍ଞଙ୍କ ଭିତରେ ଅମର ଶତପଥୀ, ଶଶିଭୂଷଣ ବେହେରା, ସୁଧିର ସାମଲ, ପ୍ରଫୁଲ୍ଲ ସାମଲଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଉଛି ।
ଆସନ୍ତା ଶୀତ ଅଧିବେଶନ ବ୍ୟତୀତ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଆଉ ଗୋଟିଏ ଅଧିବେଶନ ବସିପାରେ । ଏଥିଲାଗି ସାମ୍ବିଧାନିକ ଅଭିଜ୍ଞତା ଥିବା ଏବଂ ଗୃହ ପରିଚାଳନାରେ ଦକ୍ଷ ବିଧାୟକଙ୍କୁ ଗୁରୁତ୍ୱ ମିଳିପାରେ ବୋଲି କୁହାଯାଉଛି ।












Click it and Unblock the Notifications