ବିଜେପିର ମୁଲତବୀ ପ୍ରସ୍ତାବରେ ଆଜି ହେବ ଆଲୋଚନା
ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ଶନିବାର ବିଧାନସଭାରେ ହେବ ଆଲୋଚନା । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ମୁଲତବୀ ପ୍ରସ୍ତାବ ଦେଇଛି । ଏନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖିବେ ।
ଭୁବନେଶ୍ୱର : ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ଶନିବାର ବିଧାନସଭାରେ ହେବ ଆଲୋଚନା । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ମୁଲତବୀ ପ୍ରସ୍ତାବ ଦେଇଛି । ଏନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖିବେ ।
ଏହା ସହ ବିଧାନସଭାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ସରକାରୀ ଉଦ୍ୟୋଗ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ବିଧାୟକମାନେ ପ୍ରଶ୍ନ କରିବେ ।

ଚଳିତ ବଜେଟ ଅଧିବେଶନ ଆରମ୍ଭରୁ ଚାଷୀଙ୍କ ଟୋକନ୍ ଲାପ୍ସ ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ବିରୋଧୀ ବିଜେ ପି ଓ କଂଗ୍ରେସ ଗର୍ଜି ଆସୁଥିବାବେଳେ ଶୁକ୍ରବାର ପୁଣି ଥରେ ଏହାକୁ ନେଇ ଗୃହ ସରଗରମ ହୋଇଥିଲା । ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଆଜି ଗୃହ ମଧ୍ୟଭାଗରେ ବସି ଲାପ୍ସ ଟୋକନ୍ ଅବଧି ବଢ଼ାଇବା ସହିତ ସବୁ ଚାଷୀଙ୍କ ଧାନ ଉଠାଇବାକୁ ଅଡି ବସିଥିଲେ । ଏହାକୁ ନେଇ ଶୂନ୍ୟକାଳ ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଲତବି ଆଲୋଚନା ମଧ୍ୟ ହୋଇ ପାରି ନଥିଲା।
ସବୁ ଲାପ୍ସ ଟୋକନର ଅବଧି ବଢ଼ାଇବାକୁ ନେଇ ଗୃହର ଉଦବେଗକୁ ଦେଖି ବାଚସ୍ପତି ଡ. ସୂର୍ଯ୍ୟନରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ । ଅପରାହ୍ନରେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସରକାର ସବୁ ଚାଷୀଙ୍କ ଧାନ ଉଠାଇବାକୁ ରାଜି ହୋଇଛନ୍ତି। ଏହାସହିତ ଯେଉଁ ପ୍ରଶାସନିକ ଅଧିକାରୀମାନେ ଟୋକନ ହେରାଫେରିରେ ସଂଶ୍ଲିଷ୍ଟ ଥିବା ଜଣାପଡିବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ନାଏକ ଓ ଶ୍ରୀ ମିଶ୍ର ଥମି ଯାଇଥିଲେ ହେଁ ଏବେ ବି ବିଜେପି ଓ କଂଗ୍ରେସର ବହୁ ସଦସ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଲାପ୍ସ ଟୋକନ ନେଇ ସରକାର କିଛି ସ୍ପଷ୍ଟ ଉତ୍ତର ଦେଇ ନଥିବାରୁ ଏହାକୁ ନେଇ ଆସନ୍ତା ଦିନରେ ପୁଣି ଥରେ ଗୃହରେ ଡଡ଼ ସୃଷ୍ଟି ହେବ ବୋଲି ଗୃହ ବାହାରେ ବିଜେପି ଓ କଂଗ୍ରେସ ସଭ୍ୟମାନେ କହିଛନ୍ତି ।
ଗତକାଲି ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବେଆଇନ ବାଲି ଚାଲାଣ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ରାଜ୍ୟରେ ନୂଆ ବାଲିନୀତି ଆଣିବାକୁ ଦାବି କରାଯାଇଛି । 2018ରେ ଆସିଥିବା ବାଲି ନୀତିକୁ କାହିଁକି ଏଯାଏଁ କାର୍ଯ୍ୟକାରୀ କରାଯାଉନି, ସେନେଇ ବିଜେପି ଓ କଂଗ୍ରେସ ବିଧାୟକମାନେ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ । ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ତିନି ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ମନ୍ତ୍ରୀଙ୍କୁ ବାଚସ୍ପତି ପ୍ରଶ୍ନ କରିଥିଲେ । ଏ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ଦୁଇ ତିନିଟି ରାଜ୍ୟକୁ ଆମେ ବାଲି ଦେଉଛୁ । 144ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ । ବାଲି ବାବଦରେ ରାଜ୍ୟ ସରକାର 1500 କୋଟି ଟଙ୍କା ରାଜସ୍ବ ପାଉଛନ୍ତି । ତେବେ ଓଡ଼ିଶା ବାଲି ଚାଲାଣ ବାବଦରେ 5ହାଜର କୋଟି ଟଙ୍କା ରାଜସ୍ବ ହରାଉଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।












Click it and Unblock the Notifications