ବିଦେଶରେ ଫସିଛନ୍ତି ଗଞ୍ଜାମ ଯୁବକ
ଚାକିରି କରିବାକୁ ଯାଇଥିଲେ ବିଦେଶ । ଆଖିରେ ଥିଲା ଆଖିଏ ସ୍ୱପ୍ନ । ଟଙ୍କା ରୋଜଗାର କରି ପରିବାରକୁ ସାହା ହେବେ ବୋଲି ଆଶା କରିଥିଲେ । ହେଲେ ଏବେ ସେଠାରେ ଫସି ରହିଛନ୍ତି । ପାଖରେ ଟଙ୍କା ନାହିଁ କି ଭିସା ବି ନାହିଁ ।

କମ୍ବୋଡିଆରେ ଫସି ରହିଥିବା ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର । ଗୋଟିଏ ରୁମ୍ରେ ପଡ଼ି ଯୁବକଜଣକ ଆଖିରୁ ଲୁହ ଗଡ଼ାଉଥିବା ବେଳେ ଘର ବାହୁଡ଼ା ପାଇଁ ନେହୁରା ହେଉଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ଵନାଥପୁରର ଯୁବକ ଦୀନବନ୍ଧୁ ସାହୁଙ୍କୁ କମ୍ବୋଡିଆରେ କମ୍ପ୍ୟୁଟର ଅପରେଟର ଭାବେ କାମ କରିବା ପାଇଁ କମ୍ବୋଡ଼ିଆ ନେଇଥିଲା ଗୁଜରାଟର ଏକ କମ୍ପାନୀ । ଯେଉଁ କାମ ଆଶାରେ ଯାଇଥିଲେ ଫସିଗଲେ ଓଲଟା କାମରେ । କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ଯାଇଥିବା ଯୁବକଙ୍କୁ ଏବେ ଯୁବତୀଙ୍କୁ ଫସାଇବା କାମରେ ଲଗାଯାଉଛି ।
ଗୁଜରାଟର ଏକ କମ୍ପାନୀ ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ୍ ସହଯୋଗରେ ବିଦେଶ ଯାଇ ଫସିଯାଇଛନ୍ତି । ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାମ କରାଇ ଦେବା ପାଇଁ ଅଫର ଲେଟର ଦେଇଥିଲେ । ଦରମା 9ଶହ ଡଲାର ଦରମା ମିଳିବ ବୋଲି କହିବା ସହ ଏଥିନିମନ୍ତେ ଦେଢଲକ୍ଷ ଟଙ୍କା ଓ ଭିସା, ପାସପୋର୍ଟ ନେଇଥିଲେ ।
ଏହାପରେ ଫ୍ଲାଇଟ ଟିକେଟ ଯୋଗେ ତାଙ୍କୁ ପ୍ରଥମେ ଭିଏତନାମ ନେଇଥିଲେ । ପରେ ସେଠାରୁ କାର୍ରେ ପ୍ରାୟ 5 ଘଣ୍ଟା ନେବା ପରେ କମ୍ବୋଡିଆରେ ପଶାଇଥିଲେ । ଏହାପରେ ସେଠାରୁ କମ୍ବୋଡିଆରୁ ଥାଇଲାଣ୍ଡ ବର୍ଡର ନେଇ ଏକ କମ୍ପାନୀରେ କାମ ଦେଇଥିଲେ । ଏଥିନିମନ୍ତେ ଏଜେଣ୍ଟଙ୍କୁ କ୍ୟାସ୍ 29 ହଜାର ଟଙ୍କା ଦେଇଥିବା ଦୀନବନ୍ଧୁ କହିଛନ୍ତି ।
ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ୍ କରି ଓଟିପି ନେଇ ଠକେଇ କରିବା, ଚାଟିଂ କରି ଯୁବତୀଙ୍କୁ ଫସାଇବା ଆଦି କାର୍ଯ୍ୟରେ କିଛି ଦିନ ନିୟୋଜିତ କରାଯାଇଥିଲ।, ମାତ୍ର ସେ ଏହିଭଳି କାର୍ଯ୍ୟ- କରିବାକୁ ମନା କରିଦେଇଥିଲେ ।
ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଛି । କମ୍ପାନୀର ଏଜେଣ୍ଟ 25ଶହ ଡଲାର ଦେଲେ ହିଁ ତାଙ୍କୁ ଭାରତ ପଠେଇବେ ବୋଲି କହୁଛି । ତାଙ୍କ ପାଖରେ କୌଣସି ଅର୍ଥ ନ ଥିବା ବେଳେ କମ୍ପାନୀ ଆଉ ଖାଇବା ଦେବା ବନ୍ଦ କରିଦେଇଛି । ଏଣୁ ତାଙ୍କୁ ଅତି ଶୀଘ୍ର ଏଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁହାରି କରିଛନ୍ତି ।












Click it and Unblock the Notifications