ଭୁବନେଶ୍ୱରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲର ଫସିଥିବା 4 ଓଡ଼ିଆ ଶ୍ରମିକ
ଭୁବନେଶ୍ୱର: ଉତ୍ତରକାଶୀ ଟନେଲରେ ଫସିଥିବା 5 ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ 4 ଜଣ ଓଡ଼ିଶାରେ ପହଞ୍ଚିଛନ୍ତି । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ୱେର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତେବେ 4 ଜଣ ଫେରିଥିବାବେଳେ ତପନ ମଣ୍ଡଳ ନାମକ ଜଣେ ଶ୍ରମିକ ଆସି ନାହାଁନ୍ତି । ସେ ତାଙ୍କ ନିଜ ଭାଇ ସହ ପରେ ଆସି ପହଞ୍ଚିବା ସୂଚନା ମିଳିଛି । ଭୁବନେଶ୍ୱର ପହଞ୍ଚିବା ପରେ ଶ୍ରମିକମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ତା' ପରେ ନିଜ ଗାଁକୁ ଯିବାର ସୂଚନା ରହିଛି ।

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା 41 ଶ୍ରମିକଙ୍କ ମଧ୍ୟରେ ଥିଲେ 5 ଓଡ଼ିଆ ଶ୍ରମିକ । ସେମାନେ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ ।
ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ । ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ ପାଣ୍ଡିଆନ୍ । ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ପାଣ୍ଡିଆନ ।
ଗତକାଲି ସମସ୍ତ 5 ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ । ଆଜି ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ୱର ଆସିବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ।












Click it and Unblock the Notifications