ସିକ୍କିମ୍ ବନ୍ୟାରେ ଭାସିଯାଇଛନ୍ତି ଏହି ଓଡିଆ ଯବାନ, ଏବେ ବି 22 ଯବାନ ନିଖୋଜ
ସିକ୍କମ୍: ସିକ୍କିମ ରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥଛନ୍ତି 23 ଯବାନ । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ହାବିଲଦାର୍ ସରୋଜ କୁମାର ଦାସ ମଧ୍ୟ ସିକିମ୍ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । 2012 ରୁ ସେ ସେନାରେ ସାମିଲ ହୋଇଥିଲେ । ଏପରିକି ଏ ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ପୂର୍ବରୁ ସେ ଘରକୁ ଆସିଥିଲେ ।

ଘଟଣା ପୂର୍ବରୁ ମଙ୍ଗଳବାର ରାତି 10 ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । ସିକିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ଗତକାଲି ଦିନ 11 ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କ ପାଖକୁ ଫୋନ କରିଥିଲେ । ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିବାରୁ ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିବା କହିଛନ୍ତି ତାଙ୍କ ବଡ଼ ଭାଇ ।
ଏହି ଖବର ପରେ ପରିବାର ଓ ଗାଁ ଲୋକ ଆଶଙ୍କା ଭିତରେ ରହିଥିବା ଜଣାପଡିଛି । ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଂଗୀନ ହୋଇପଡିଛି । ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର 23 ଜଣ ଯବାନଙ୍କ ସହ 30 ଜଣ ଭାସିଯାଇଥିବା ସୂଚନା ମିଳିଛି । ଏବେ ବି ଯବାନଙ୍କ କୌଣସି ପତ୍ତା ମିଳିପାରିନାହିଁ ।
ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଯବାନଙ୍କ ଜଣଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସରୋଜ ସହ ଆହୁରି 21 ଯବାନଙ୍କ ପତ୍ତା ମିଳିନାହିଁ । ଉଦ୍ଧାର ଲାଗି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । କିନ୍ତୁ ବନ୍ୟାରେ ନିଖୋଜ ଖବର ମିଳିବା ପରଠାରୁ ସରୋଜଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ।












Click it and Unblock the Notifications