ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍ଘାଟ୍
ଭୁବନେଶ୍ୱର: ମନମୋହିଲା ପଶ୍ଚିମ ଓଡ଼ିଶାର କଳାକାରଙ୍କ ପରିବେଷିତ ଲୋକନୃତ୍ୟ । ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷିଭିତ୍ତିକ ପର୍ବ ନୂଆଖାଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ବିଶେଷତ୍ୱ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗତକାଲି ରବୀନ୍ଦ୍ର ମଣ୍ଡପ ଠାରେ ନୂଆଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି ।

ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଲୋକକଳା, ଲୋକବାଦ୍ୟ ଓ ଲୋକସଂସ୍କୃତିର ପ୍ରଚାରପ୍ରସାର ସହ ଏହାକୁ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ପ୍ରତିବର୍ଷ ଏପରି ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଡାଲ୍ଖାଇ, ଦୁଲ୍ଦୁଲି, ଘୁମର୍, ଦଣ୍ଡନାଚ, ବଜାଶାଲ୍, ମାନ୍ଦଲିଆ ଓ କରମାନଜ ନୃତ୍ୟ ପରିବେଷିତ ହୋଇଥିଲା । ଲୋକନୃତ୍ୟର ତାଳେ ତାଳେ ମଞ୍ଚ ଦୁଲିକି ଉଠିବା ସହ ଏହା ଦର୍ଶକମାନଙ୍କୁ ଅଭିଭୂତ କରିଥିଲା ।
ନୂଆଖାଇ ପର୍ବ ପାଳନର ସ୍ୱତନ୍ତ୍ରତା ତଥା ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ବିଶେଷ ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ, ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇଥିଲେ ।












Click it and Unblock the Notifications