ଆନନ୍ଦ ବଜାର ବିଶୃଙ୍ଖଳା ପରେ ଚେତିଲା ପ୍ରଶାସନ, ମହାପ୍ରସାଦ ବିକ୍ରି କରିପାରିବେନି ଅଣ ସୁପକାର
ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଚଢା ଦରରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଏବଂ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଣିକି ଆନନ୍ଦ ବଜାରରେ ଅଣ ସୁପକାର ମାନେ ମହାପ୍ରସାଦ କିମ୍ବା ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ । ନିୟମ ଉଲଂଘନ କଲେ ଥାନାରେ ଏତଲା ଦିଆଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଥିରେ ଯଦି ସୁପକାରସେବାୟତ ସାମିଲ ହୁଅନ୍ତି ସୁଆର ମହାସୁଆର ନିଯୋଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ, ଏସ୍ପି, ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ସୁରକ୍ଷା ପ୍ରଶାସକ ସହ ଶ୍ରୀ ମନ୍ଦିର କମାଣ୍ଡରକୁ ଚିଠି ଦିଆଯାଇଛି ।
ବାରମ୍ବାର କଟକଣା ସତ୍ତ୍ୱେ ଆନନ୍ଦ ବଜାରରେ ଚଢା ଦରରେ ଅବଢା ବିକ୍ରିରୁ ନିବୃତ୍ତ ହେଉନାହାଁନ୍ତି କିଛି ଅଣସେବାୟତ । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଧାର୍ମିକ ସ୍ଥଳକୁ ବ୍ୟବସାୟ ନ କରିବାକୁ ବାରମ୍ବାର ଦାବି ହୋଇଆସୁଛି । ତଥାପି ଭକ୍ତଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଛନ୍ତି ଜଣେ ଅଣସୁପକାର ଅବଢ଼ା ବିକ୍ରେତା । ଆନନ୍ଦ ବଜାରରେ ଅବଢ଼ାର ଦରକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ବେଳେ କାହିଁକି ତାଲିକା ଦର ଲାଗୁନି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।












Click it and Unblock the Notifications