ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ମନ୍ଦିର ଭିତରେ ପ୍ରବେଶ କଲେ ଅଣହିନ୍ଦୁ
ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନବାଚୀ । ଅଣହିନ୍ଦୁ ମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ ଥିବାବେଳେ 4 ଜଣ ଅଣହିନ୍ଦୁ ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହା ପରେ ପୋଲିସ୍ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।
ରବିବାର ଦିନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଥିବା ବେଳେ 4 ଜଣ ଅଣହିନ୍ଦୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେମାନେ ବାଂଲାଦେଶର ବୋଲି ଜଣାପଡ଼ିଛି । ଏହା ଜଣା ପଡିବା ପରେ ପୋଲିସ୍ ସେମାନଙ୍କୁ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶରୁ 9 ଜଣ ଆସିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଥିବାବେଳେ 8 ଜଣ ଅଣହିନ୍ଦୁ ଅଛନ୍ତି । ରବିବାର ସନ୍ଧ୍ୟାରେ 4ଜଣ ବ୍ୟକ୍ତି ଉତ୍ତର ଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବାର କିଛି ସ୍ଥାନୀୟ ଲୋକ ଦେଖିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର 5 ଜଣ ଲୋକ ମନ୍ଦିରକୁ ଯାଇଥିବା କହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ 4 ଜଣ ଅଣହିନ୍ଦୁ ବୋଲି ସେମାନଙ୍କଠାରୁ ଜାଣିବାକୁ ପାଇଥିଲେ । ଏହାପରେ ଏ ନେଇ ସେମାନଙ୍କୁ ସିଂହଦ୍ୱାର ଥାନା ପୋଲିସର ଜିମାରେ ଦେଇଥିଲେ ସ୍ଥାନୀୟ ଲୋକ ।
ପୋଲିସ 9 ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି । ସେମାନେ କେବେଠାରୁ ଆସିଲେଣି, କେଉଁଠି ରହୁଛନ୍ତି ଏବଂ ସେମାନଙ୍କ ପାସ୍ପୋର୍ଟ, ଭିସା ଆଦି କାଗଜପତ୍ର ଯାଞ୍ଚ କରିଛି । 3 ଜଣଙ୍କ ପାସ୍ପୋର୍ଟ ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାସ୍ପୋର୍ଟ ଭେରିଫିକେଶନ ପାଇଁ ସେମାନେ ରହୁଥିବା ହୋଟେଲକୁ ଯାଇ ତନଖି କରାଯାଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରତିଟି ଦିଗକୁ ନେଇ ଛାନଭିନ୍ କରୁଛି ସିଂହଦ୍ୱାର ଥାନା ପୋଲିସ । ପ୍ରକୃତରେ କେତେଜଣ ମନ୍ଦିରକୁ ପ୍ରବେଶ କରିଥିଲେ ସେ ନେଇ ସିସିଟିଭି ଯାଞ୍ଚ କରାଯାଉଛି ।
ଏ ସମ୍ପର୍କରେ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର କହିଛନ୍ତି, କିଛି ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସେହି ଅଣହିନ୍ଦୁମାନଙ୍କୁ ଥାନାରେ ଅଟକ ରଖାଯାଇ ଭେରିଫିକେଶନ କରାଯାଉଛି । ସେମାନେ କେବେଠୁ ପୁରୀ ଆସିଛନ୍ତି, କେଉଁ ହୋଟେଲରେ ରହୁଛନ୍ତି ଏବଂ କେଉଁଠାରୁ ଆସିଛନ୍ତି ପଚରାଉଚରା କରାଯାଉଥିବା ବେଳେ ପାସ୍ପୋର୍ଟ ଯାଞ୍ଚ ହେଉଛି । ଯଦି କିଛି ଅନିୟମିତତା ଘଟିଥିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କ ଭିତରେ ଜଣେ ହିନ୍ଦୁ ଥିବା ମଧ୍ୟ ଜଣାପଡିଛି । ସେମାନେ କେଉଁ ଭିସାରେ ଆସିଛନ୍ତି ତାହାର ମଧ୍ୟ ଯାଞ୍ଚ କରାଯିବ ଅତିରିକ୍ତ ଏସ୍ପି ଶ୍ରୀ ମିଶ୍ର କହିଛନ୍ତି ।












Click it and Unblock the Notifications