‘ବିଳମ୍ବରେ ଆସିଲେ ଦରମା ବନ୍ଦ', ନିର୍ଦ୍ଦେଶନାମା ଜାରି କଲା ବିଏମସି
ଭୁବନେଶ୍ୱର: ଅଫିସ୍ କୁ ବିଳମ୍ବରେ ଆସୁଛନ୍ତି କି ? ତେବେ ସାବଧାନ । ବନ୍ଦ ହୋଇଯିବ ଦରମା । ଅର୍ଥାତ୍ ବିଳମ୍ବରେ ଅଫିସ୍ ଆସିଲେ ବନ୍ଦ ହୋଇଯିବ ଦରମା । ନୂଆ ବର୍ଷ ପୂର୍ବରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି ।
ସମୟାନୁବର୍ତ୍ତୀତା ପରିବେଶ ସୃଷ୍ଟି କରିବା ଏବଂ କାର୍ଯ୍ୟ ଦକ୍ଷତା ବଜାୟ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି । ଅଫିସ୍ କୁ 15 ମିନିଟ୍ ରୁ ଅଧିକ ବିଳମ୍ବରେ ଆସୁଥିବା ଯେକୌଣସି କର୍ମଚାରୀଙ୍କୁ ଅନୁପସ୍ଥିତ ଏବଂ 'ନୋ ୱାର୍କ ନୋ ପେ' ନୀତି ଅଧୀନରେ ରଖାଯିବ ବୋଲି ନିଗମ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।

ବିଏମସିର ଏହି ନିଷ୍ପତ୍ତି ଓଡ଼ିଶା ସରକାରଙ୍କ 5-ଟି ଭିତ୍ତିଭୂମିରୁ ଆସିଛି । ଯେଉଁଥିରେ ସରକାରୀ କାର୍ଯ୍ୟରେ ସମୟୋପଯୋଗୀତା ଉପରେ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟଗୁଡ଼ିକର ଦକ୍ଷ ପରିଚାଳନା ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ କାର୍ଯ୍ୟ-ଜୀବନ ସନ୍ତୁଳନ ସୃଷ୍ଟି କରିବା ପାଇଁ ସରକାରୀ କାର୍ଯ୍ୟ ସମୟ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଏମସି ବିଶ୍ୱାସ କରେ । ଏହାକୁ ସୁନିଶ୍ଚିତ କରିବା ପାଇଁ ବିଏମସି ପକ୍ଷରୁ ପ୍ରତି କାର୍ଯ୍ୟଦିବସରେ କର୍ମଚାରୀମାନେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି ।
ରେଗୁଲାର, ଡିଏଲଆର, ସିଏଲଆର, ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ ଏବଂ ପରାମର୍ଶଦାତାଙ୍କ ସମେତ ସମସ୍ତ କର୍ମଚାରୀ ସକାଳ 9.45 ରୁ 10.15 ମଧ୍ୟରେ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ । ପୂର୍ବାହ୍ନ 10.30 ପରେ ବିଳମ୍ବ ହେଲେ ଅନଧିକୃତ ଅନୁପସ୍ଥିତି ବୋଲି ବିବେଚନା କରାଯିବ ଏବଂ ସେହି ଦିନର ଦରମା କଟିବ ।
ବିଏମସି କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱ ସୃଷ୍ଟି କରିବା, ନିର୍ଦ୍ଧାରିତ ଅଫିସ କାର୍ଯ୍ୟ ସମୟକୁ ପାଳନ କରିବା ଏବଂ ନିଜ ଦାୟିତ୍ୱକୁ ପ୍ରଭାବଶାଳୀ ଭାବରେ ନିର୍ବାହ କରିବା ସୁନିଶ୍ଚିତ କରିବା ଏହି କଠୋର ପଦକ୍ଷେପର ଲକ୍ଷ୍ୟ ରଖି ବିଏମସି ଏଭଳି ଏକ ନିଷ୍ପତ୍ତି ନେଇଛି ବୋଲି କହିଛି ।












Click it and Unblock the Notifications